କେନ୍ଦୁଝର :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ କଲେଜ ଯିବା ବାଟରୁ ଡାକିନେଇ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ମୁଣ୍ଡୁକାଟି ଗ୍ରାମର ରଶ୍ମୀ ରଞ୍ଜନ ସେଠୀ (୨୯)ଙ୍କୁ ଗିରଫ କରିବା ସହ ଥାନାରେ ମାମଲା (୧୮୨/୨୦୨୬) ରୁଜୁ କରିଛି । ଅଭିଯୁକ୍ତ ସିଆଇଏସ୍ଏଫର ଯବାନ ବୋଲି କୁହାଯାଉଛି । ଛାତ୍ରୀ ଓ ଅଭିଯୁକ୍ତଙ୍କ ଘର ପାଖାପାଖି ଗ୍ରାମରେ ହୋଇଥିବାରୁ ସେମାନେ ପୂର୍ବରୁ ପରିଚିତ ଥିଲେ ।
ଘଟଣାର ଅନ୍ୟ ଦିଗ ଉପରେ ପୁଲିସ ତଦନ୍ତ ଜାରି ରଖିଛି । ଗୁରୁବାର ଛାତ୍ରୀ କଲେଜ ଯିବା ପାଇଁ ତାଙ୍କ ବାପାଙ୍କ ସହ ବାଇକରେ ଛେନାପଦି ଛକ ପର୍ଯ୍ୟନ୍ତ ଆସିଥିଲେ । ସେଠାରୁ ବସରେ କଲେଜ ଯାଉଥିବା ସମୟରେ ଅଭିଯୁକ୍ତ ରଶ୍ମୀରଞ୍ଜନ ସେଠୀ କୌଣସି ବାହାନା କରି ବାଟରୁ ତାଙ୍କୁ ବସ୍ରୁ ଡାକି ନେଇଥିଲା । ପରେ ତାଙ୍କୁ ଶାଳବଣି ଛକ ସ୍ଥିତ ଏକ ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିବା ଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି । ଘଟଣାରେ ଅନ୍ୟ ଜଣେ ଯୁବକ ସହଯୋଗ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପରେ ଘଟଣା ସମ୍ପର୍କରେ ଛାତ୍ରୀ ଘରକୁ ଫୋନ୍ କରି ଜଣାଇବା ପରେ ତାଙ୍କ ବାପା ଗାଁର ଜଣେ ବ୍ୟକ୍ତିଙ୍କୁ ସାଥିରେ ନେଇ ହୋଟେଲରେ ପହଞ୍ଚି ଝିଅକୁ ଘରକୁ ନେଇ ଆସିଥିଲେ । ପରେ ଛାତ୍ରୀଙ୍କ ଲିଖିତ ଅଭିଯୋଗ ଆଧାରରେ ସୋସୋ ପୁଲିସ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଛି ।










