ନୂଆଦିଲ୍ଲୀ: ମୁମ୍ବାଇର ଐତିହାସିକ ଶିବାଜୀ ପାର୍କରେ ଆୟୋଜିତ କାକରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ସଭାରେ ଘଟିଛି ଅଘଟଣ । ପ୍ରତିବାଦରେ ସାମିଲ ହୋଇଥିବା ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ଠାଣେର ‘ଦୋସ୍ତି ୱେଷ୍ଟ କାଉଣ୍ଟି’ ଅଞ୍ଚଳର ଗୋପାଳକୃଷ୍ଣ ସୁବ୍ରମଣ୍ୟମ ପିଲ୍ଲାଈ ।ସୂଚନା ଅନୁସାରେ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଅନିୟମିତତା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶୁକ୍ରବାର ସିଜେପି ପକ୍ଷରୁ ଶିବାଜୀ ପାର୍କରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ଯୋଗଦେବା ପାଇଁ ପିଲ୍ଲାଈ ଅପରାହ୍ନ ପ୍ରାୟ ୪ଟା ୩୦ରେ ଶିବାଜୀ ପାର୍କରେ ପହଞ୍ଚିଥିଲେ ।
ତେବେ ପ୍ରତିବାଦ ଚାଲିଥିବା ସମୟରେ ପ୍ରାୟ ୫ଟା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଘଟଣାସ୍ଥଳରେ ଥିବା ତାଙ୍କ ସାଙ୍ଗସାଥୀ ଏବଂ ପୁଲିସ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ହେଲେ ଚିକିତ୍ସା ସତ୍ତ୍ୱେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୁଲିସ ସୂଚନା ଅନୁସାରେ, ପ୍ରତିବାଦ ସଭା ପାଇଁ ଅନୁମତି ନିଆଯାଇନଥିବା ବେଳେ ଅପରାହ୍ନ ୪ଟାରୁ ଏଠାରେ ଲୋକଙ୍କ ସମାଗମ ଆରମ୍ଭ ହୋଇଥିଲା। ଅତ୍ୟଧିକ ଖରା ସତ୍ତ୍ୱେ ହଜାର ହଜାର ଲୋକ ଶିବାଜୀ ପାର୍କରେ ଏକାଠି ହୋଇଥିଲେ । ଏହି ବିଶାଳ ଜନସମାଗମ ମଧ୍ୟରେ ୭୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟଣା ପ୍ରତିବାଦ ସଭାରେ ଶୋକର ଛାୟା ଖେଳାଇ ଦେଇଛି ।










