ନୂଆଦିଲ୍ଲୀ: କାର୍ରେ CNG ଭର୍ତ୍ତି କରୁଥିବା ବେଳେ ହଠାତ୍ ଟାଙ୍କିରେ ବିସ୍ଫୋରଣ। ଗୁଜରାଟର କରଜନ ନିକଟ NH-48ର ଏକ CNG ଫିଲିଂ ଷ୍ଟେସନରେ ଘଟିଛି ଏଭଳି ଭୟାବହ ଘଟଣା। CNG ଭର୍ତ୍ତି କରାଯାଉଥିବା ସମୟରେ ଗାଡ଼ିରେ ଲାଗିଥିବା ଗ୍ୟାସ୍ ସିଲିଣ୍ଡର ହଠାତ୍ ଫାଟିଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଘଟଣାର ଭୟାବହ ଦୃଶ୍ୟ ଫିଲିଂ ଷ୍ଟେସନର CCTV କ୍ୟାମେରାରେ କଏଦ ହୋଇଛି। ସୂଚନା ଅନୁସାରେ, ଏକ CNG କାର୍କୁ ଷ୍ଟେସନରେ ଗ୍ୟାସ୍ ଭର୍ତ୍ତି କରାଯାଉଥିଲା।
ରିଫିଲିଂ ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଜୋରଦାର ଧମାକା ହୋଇଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଗାଡ଼ିର CNG ସିଲିଣ୍ଡର ଦୁଇ ଫାଳ ହୋଇଯାଇଥିବା ଦେଖାଯାଇଛି। ଏହାର ପ୍ରଭାବରେ କାର୍ଟି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ CNG ଷ୍ଟେସନରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମୟରେ ଆଖପାଖରେ ଥିବା ଲୋକେ ଭୟରେ ଦୌଡ଼ିଥିଲେ। ବିସ୍ଫୋରଣର ପ୍ରଭାବରେ ନିକଟରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ରିପୋର୍ଟ ଆସିଛି।
ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ୍କୁ ପଠାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗ୍ୟାସ୍ ଲିକେଜ୍ କିମ୍ବା ଚାପଜନିତ ସମସ୍ୟା ସମ୍ଭାବ୍ୟ କାରଣ ମଧ୍ୟରେ ରହିଥିବା ନେଇ ରିପୋର୍ଟ ଥିଲେ ମଧ୍ୟ ଅଧିକାରିକ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ। ଏହି ଘଟଣା ପରେ CNG ଯାନର ସିଲିଣ୍ଡର ଯାଞ୍ଚ, ନିୟମିତ ରକ୍ଷଣାବେକ୍ଷଣ ଏବଂ ରିଫିଲିଂ ସମୟରେ ସୁରକ୍ଷା ନିୟମ ପାଳନ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। CNG ସିଲିଣ୍ଡର ଉଚ୍ଚ ଚାପରେ ଗ୍ୟାସ୍ ସଂରକ୍ଷଣ କରୁଥିବାରୁ ସିଲିଣ୍ଡରର ଯାଞ୍ଚ ଓ ପ୍ରମାଣିତ ଉପକରଣ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ।










