ଭୁବନେଶ୍ୱର/ସୁନ୍ଦରଗଡ଼: ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ଏବଂ ସେମାନଙ୍କ ଦ୍ୱାରଦେଶରେ ମାନବ ଅଧିକାରର ପ୍ରଚାର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁନ୍ଦରଗଡ଼ସ୍ଥିତ କଲେକଫରେଟ୍ ପରିସରର ସଦ୍ଭାବନା ଭବନରେ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶତ୍ରୁଘ୍ନ ପୂଜାହାରୀ ଅଧ୍ୟକ୍ଷତା କରିଥିଲେ । ଆୟୋଗଙ୍କ ନିକଟରେ ସୁନ୍ଦରଗଡ଼ ଜିଲ୍ଲା ସମ୍ବନ୍ଧୀୟ ମୋଟ ୪୩ଟି ମାମଲା ଉପସ୍ଥାପନ କରାଯାଇଥିଲା ଓ ସେଥିମଧ୍ୟରୁ ୨୪ଟି ମାମଲାର ସମାଧାନ କରାଯାଇଥିଲା । ସେହିପରି, ଝାରସୁଗୁଡ଼ା ଜିଲ୍ଲା ସମ୍ବନ୍ଧୀୟ ୨୧ଟି ମାମଲା ଆୟୋଗଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ଓ ୧୦ଟି ମାମଲାର ସମାଧାନ କରାଯାଇଥିଲା । ଏହି କ୍ୟାମ୍ପ କୋର୍ଟ ସମୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଅନ୍ୟ ଅଧିକାରୀ ତଥା ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।










