ଭୁବନେଶ୍ୱର: ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟରେ ଆସିଛି ଉନ୍ନତ । ଓଡିଶାର ଜଳବାୟୁ ଓରାଙ୍ଗଉଟାନଙ୍କୁ ସୁହାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି । ଏପରିକି ସେମାନଙ୍କ ଓଜନ ମଧ୍ୟ ବଢିଛି । ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ନଜର ରଖାଯାଇଛି । ମହୀଶୂରରୁ ସ୍ୱତନ୍ତ୍ର ଡାକ୍ତର ଆସି ସେମାନଙ୍କ ଚିକିତ୍ସା କରୁଛନ୍ତି । ଛୁଆଙ୍କ ଭଳି ସେମାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । ଏହାସହ ୨୪ ଘଣ୍ଟିଆ ମନିଟରିଂ ମଧ୍ୟ କରାଯାଉଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଓଜନ ଉପରେ ନଜର ରଖାଯାଉଛି । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତେବେ ଆହୁରି କହିଛନ୍ତି, ଓରାଙ୍ଗଉଟାନ ମାନେ ପ୍ରକୃତରେ କେଉଁ ଦେଶରୁ ଆସିଛନ୍ତି, ତାହା ଜାଣିବା ପାଇଁ ଏବେ ଡିଏନଏ ଚେଷ୍ଟ କରାଯିବ । ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ଓରାଙ୍ଗଉଟାନଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଡିଏନଏ ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ପତ୍ତି ଓ କେଉଁ ଦେଶରୁ ଆସିଛନ୍ତି, ସେନେଇ ଅଧିକ ସ୍ପଷ୍ଟତା ମିଳିପାରିବ । ରିପୋର୍ଟ ମିଳିବା ପରେ ଏନେଇ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ । ଏପଟେ ଆଜି ନନ୍ଦନକାନନ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ ନନ୍ଦନକାନନରେ ପହଞ୍ଚି ଓରାଙ୍ଗଉଟାଙ୍ଗଙ୍କୁ ଦେଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକାରୀଙ୍କଠାରୁ ବୁଝିବେ ।










