ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଇସି (CEC) ଜ୍ଞାନେଶ କୁମାରଙ୍କ ଦୁର୍ନୀତି ଏବଂ ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ବ୍ୟବସ୍ଥାର ଯେଉଁ ଅନ୍ଧ ସମର୍ଥନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ଓ ହାସ୍ୟାସ୍ପଦ। ଓଡ଼ିଶାର ଜନସାଧାରଣ ଆଜି ଦେଖୁଛନ୍ତି ଯେ କେମିତି ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ, ବିଶେଷ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନିଜ ପଦବୀର ଗରିମା ଭୁଲି ନିର୍ବାଚନ କମିଶନଙ୍କ ସେହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ସୁରକ୍ଷା ଦେଉଛନ୍ତି ଯାହା ଭାରତୀୟ ସମ୍ବିଧାନକୁ ବିପନ୍ନ କରିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅଯୌକ୍ତିକ ବକ୍ତବ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି ବୋଲି ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ପିସିସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗଣମାଧ୍ୟମ ମାଧ୍ୟମରେ ସେ କତୋଟି ପ୍ରଶ୍ନ କରିଛନ୍ତି:- ଅନ୍ତରୀଣ ମତଭେଦ ଓ ୧୪ଟି ଆପତ୍ତି କ’ଣ ମିଥ୍ୟା? ମୁଖ୍ୟମନ୍ତ୍ରୀ କହୁଛନ୍ତି ଏସଆଇଆର (SIR) ପ୍ରକ୍ରିୟା ସ୍ୱଚ୍ଛ। ଯଦି ଏହା ଏତେ ସ୍ୱଚ୍ଛ, ତେବେ ନିର୍ବାଚନ କମିଶନଙ୍କ ନିଜ ଫାଇଲ୍ରେ ଦୁଇଜଣ ସହଯୋଗୀ ନିର୍ବାଚନ କମିଶନର (ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଜୋଶୀ) ଗତ ୧୦ ମାସ ମଧ୍ୟରେ ୧୪ରୁ ଅଧିକ ଥର SIR ଏବଂ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ କାହିଁକି ଆପତ୍ତି ଉଠାଇଥିଲେ? ମୁଖ୍ୟମନ୍ତ୍ରୀ କେଉଁ ଆଧାରରେ ନିଜ ଦଳର ପକ୍ଷପାତିତାକୁ ଲୁଚାଇବାକୁ ଯାଇ ଏହି ଗମ୍ଭୀର ଅଭିଯୋଗକୁ ‘ମିଥ୍ୟା’ ବୋଲି କହୁଛନ୍ତି? ଏତେଥର ୨ ଜଣ ଇଲେକ୍ସନ କମିସନରଙ୍କ ଡିସେଣ୍ଟିଙ୍ଗ ଓପିନିଅନ ସତ୍ତ୍ବେ ବିଜେପି କେଉଁ ମୁହଁରେ ଏହାକୁ ନିର୍ବାଚନ କମିସନଙ୍କ ସର୍ବସମ୍ମତ ନିଷ୍ପତ୍ତି ବୋଲି କହୁଛି? କ୍ୟାବିନେଟ୍ ସେକ୍ରେଟାରୀଙ୍କ ପାଖରେ ଦୁଇଜଣ ନିର୍ବାଚନ ଆୟୁକ୍ତ ଫେରାଦ୍ ହେବା କ’ଣ ମିଛ? ଦିଲ୍ଲୀ SIR ନୋଟିସ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ନିର୍ବାଚନ କମିଶନ ଅତି “ଯାନ୍ତ୍ରିକ ଢଙ୍ଗରେ” (Mechanically) କାର୍ଯ୍ୟ କରୁଛନ୍ତି। ଯେଉଁଠି ଦେଶର ସର୍ବୋଚ୍ଚ ଅଦାଲତ ଏହି ପ୍ରକ୍ରିୟାର ତ୍ରୁଟି ଧରିଛନ୍ତି, ସେଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେଉଁ ସାହସରେ ଏହାକୁ ‘ଯଥାର୍ଥ’ ଏବଂ ‘ପ୍ରଯୁକ୍ତିବିଦ୍ୟା-ଭିତ୍ତିକ’ କହି ପ୍ରଶଂସା କରୁଛନ୍ତି? ଏହା ସୁପ୍ରିମକୋର୍ଟଙ୍କ ଆଦେଶ ପ୍ରତି ଏକ ଆହ୍ୱାନ ନୁହେଁ କି? SIR ବାହାନାରେ ଲକ୍ଷ ଲକ୍ଷ ବୈଧ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଉଛି କେବଳ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଫାଇଦା ପହଞ୍ଚାଇବା ପାଇଁ। ବିରୋଧୀ ଦଳ ଭାବେ ଜନସାଧାରଣଙ୍କ ଭୋଟ୍ ଦେବାର ଅଧିକାରକୁ ରକ୍ଷା କରିବା ପାଇଁ କଂଗ୍ରେସ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ‘ଅରାଜକତା’ କହି ଅପମାନିତ କରୁଛନ୍ତି। ଗଣତନ୍ତ୍ରରେ ଜନତାଙ୍କ ହକ୍ ପାଇଁ ଲଢ଼େଇ କରିବା କେବେଠାରୁ ଅରାଜକତା ହେଲା, ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ସମ୍ବିଧାନକୁ ଅସ୍ତ୍ର କରି ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ନେଉଥିବା ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ତଦନ୍ତ ହେବା ସହ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଆମର ସାମ୍ବିଧାନିକ ଦାବି। ଯେଉଁମାନେ ଭୋଟର ତାଲିକାରେ ହେରଫେର କରି ଦେଶଦ୍ରୋହ ଭଳି ଅପରାଧ କରୁଛନ୍ତି, ସେମାନଙ୍କୁ କ୍ଷମା କରାଯିବ ନାହିଁ।ଆମର ଚେତାବନୀ:ବିଜେପି ସରକାର ପୋଲିସ ବଳ ପ୍ରୟୋଗ କରି କିମ୍ବା ମିଥ୍ୟା ବିବୃତି ଦେଇ କଂଗ୍ରେସର ସ୍ୱରକୁ ଚପାଇ ପାରିବେ ନାହିଁ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଆସିବା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ଆନ୍ଦୋଳନ ଜାରି ରଖିବ।
ଖଣି ରାଜସ୍ବକୁ ବିଜେପି ୫ ହଜାର କୋଟିରୁ ନେଇ ୫୦ ହଜାର କୋଟିରେ ପହଞ୍ଚାଇବା ନେଇ ଆସ୍ଫଳନକୁ ସମାଲୋଚନା କରି ଶ୍ରୀ ଦାସ ପାଲଟା ପ୍ରଶ୍ନ କରିଛନ୍ତି:- ୨୦୧୪-୧୫ରେ ମୋଟ ୧୭୧ ମିଲିଅନ ଟନ୍ ଖଣି ଉତ୍ତୋଳନ ହୋଇଥିବା ବେଳେ ୨୦୧୫ରେ କେନ୍ଦ୍ର ନିଲାମ ପ୍ରକ୍ରିୟା କରିବା ପରେ ୨୦୨୫-୨୬ରେ ଏହା ୪୪୮ ମିଲିଅନ୍ ଟନ୍କୁ ବୃଦ୍ଧି ପାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ କହୁନାହାନ୍ତି କାହିଁକି? ସେହି ୧୨ ବର୍ଷରେ କେତେ ମିଲିଅନ ଟନ୍ କୋଇଲା ଓ ଲୁହାପଥର ବେଆଇନ ଭାବେ ଉତ୍ତୋଳିତ ହୋଇ ବିଜେପି ପକେଟ୍କୁ ଯାଇଛି ବୋଲି ଦଳ ନିରବ କାହିଁକି? ଏଇ ଗତ ୧୨ ବର୍ଷରେ ଖଣିଜ ପଦାର୍ଥର ଅନ୍ତର୍ଜାତୀୟ ମୂଲ୍ୟ ହୁହୁ ହୋଇ କେତେଗୁଣ ବଢ଼ିଛି ତା’ର ହିସାବ କାହିଁକି ଦେଉନାହାନ୍ତି ଧର୍ମେନ୍ଦ୍ର? ୪ ଗୁଣା ହାରରେ ଉତ୍ତୋଳନ ହେଲେ ୧୦୦ ବର୍ଷ ଯିବାକୁ ଥିବା ଆମ ଖଣିଜ ସମ୍ପଦ ମାତ୍ର ୨୦/୨୫ ବର୍ଷରେ ଶେଷ ହୋଇଯିବ, ସେ କଥା କାହିଁକି କହୁନାହାନ୍ତି? ଧରିନିଆଯାଉ ଆମକୁ କିଛି ଅଧିକ ପଇସା ମିଳିବ; ତା’ବୋଲି କ’ଣ ଆମେ ଆମ ଭୂସମ୍ପଦକୁ କେନ୍ଦର ହାତରେ ଟେକିଦେବା; ଏଥିପାଇଁ କ’ଣ ଆମେ ଆମ ଆର୍ଥିକ ସ୍ବାୟତ୍ତତା ହରାଇବା? ଏଥିପାଇଁ କ’ଣ ଦେଶର ସମ୍ବିଧାନର ମୂଳ ଢାଞ୍ଚା ଫେଡେରାଲିଜମ୍କୁ ସବୁଦିନ ପାଇଁ ହରାଇଦେବା ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଓଡ଼ିଶା ମାଟିର ଦୁଇ ଆଦିବାସୀ ସନ୍ତାନ ହୋଇ ନିଜ ମାଟିର ଆଦିବାସୀମାନଙ୍କ ହକ୍ ଲୁଟ୍ ହେଉଥିବା ବେଳେ ରାଷ୍ଟ୍ରପତି ମହୋଦୟା ନିରବରେ ଅଧିନିୟମରେ ସ୍ବାକ୍ଷର କରିବା ଓ ମୁଖ୍ୟମନ୍ତ୍ରୀ ଏହି ଅଧିନିୟମକୁ ସମର୍ଥନ କରିବା ଠିକ୍ ଲାଗୁନାହିଁ ବୋଲି ଶ୍ରୀ ଦାସ ଦୁଃଖ ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ବରିଷ୍ଠ କଂଗ୍ରୋସ ନେତା ନରସିଂହ ମିଶ୍ର କହିଲେ, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । କାରଣ ସେଇ ଅଧିକାର ରାଜ୍ୟ ସରକାରଙ୍କ ନ ଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ମୁଁ ଆଇନମନ୍ତ୍ରୀ ଥିଲି । ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ । ବିଲ ଅନୁସାରେ ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ l ଖଣିଜ ଭରା ଜମି ଉପରେ । ବିଲର ମୂଳ ଅଂଶ ଥିଲା ଏହା । ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା, ଯେଉଁ ଜମି ତଳେ ଖଣି ଅଛି ତା ଉପରେ ଟ୍ୟାକ୍ସ ନିଆଯିବ । ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା । ପରେ 15.1.2004 ରେ ସୁପ୍ରିମକୋର୍ଟ ରାୟ ଦେଲେ ରାଜ୍ୟ ସରକାରଙ୍କ ଜମି ଉପରେ ଅଧିକାର ଅଛି ବୋଲି । ସେଇ ଅଧିକାର ଆମକୁ ମିଳିବା କଥା କିନ୍ତୁ ମିଳିଲା ନାହିଁ । ବର୍ତ୍ତମାନ ସୁପ୍ରିମ କୋର୍ଟ କହିଛନ୍ତି, ଯଦି ସେଇ ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ 12 ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ । ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ 17 ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ । ଏଵେ ପୁଣି ଏକ ନୂତନ ରାୟ ପ୍ରକାଶ ପାଇଛି ଯେ ମିନେରାଲ ବିୟରିଂ ଲ୍ୟାଣ୍ଡ ଉପରେ ସରକାର ଟିକସ୍ ପକାଇ ପାରିବ, ଯେଉଁ ଦିନଠୁ ଦାବି ହୋଇଥିଲା, ସେଇ ଦିନଠାରୁ ହିସାବ ହୋଇ କେନ୍ଦ୍ର ରାଜ୍ୟକୁ ଦେବା କଥା । କେନ୍ଦ୍ର ସୁପ୍ରିମକୋର୍ଟକୁ କହିଲେ ଯଦି ଏକାଥରକେ ଏତେ ଅର୍ଥ ଦିଆଯିବ, ତେବେ କେନ୍ଦ୍ର ଦେବାଳିଆ ହୋଇଯିବ ଏବଂ ଆମେ ଏକସାଥିରେ ଏତେ ଟଙ୍କା ଦେଇ ପାରିବୁ ନାହିଁ । ଏବଂ କେନ୍ଦ୍ର ସରକାର କିସ୍ତି ଆକାରେ ଅର୍ଥପ୍ରଦାନ କରିବାକୁ ସୁପ୍ରିମ କୋର୍ଟଙ୍କ ନିକଟରେ ପ୍ରାର୍ଥନା କଲେ, ଯାହା ସୁପ୍ରିମକୋର୍ଟ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ର ଟିକସ୍ ଦେବା କଥା ରାଜ୍ୟ ମାଗିବା କଥା, କିନ୍ତୁ ରାଜ୍ୟ ମାଗିଲା ନାହିଁ କିମ୍ବା କେନ୍ଦ୍ର ଦେଲା ନାହିଁ । ଫଳରେ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଲା । ତେବେ ଏମଏମଡିଆର-26 ସଂଶୋଧନ ବିଲ୍ ସୁପ୍ରିମ କୋର୍ଟରେ ନିଶ୍ଚୟ କାଟ ଖାଇବ, ଏଥିରେ ସନ୍ଦେହ ନାହିଁ । ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତିନି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ଦେବାଶିଷ ନାୟକ ତଥା କିଶାନ ସେଲ ଅଧ୍ୟକ୍ଷ ଅଭୟ ସାହୁ ଉପସ୍ଥିତ ଥିଲେ।










