ଲୋକସଭାର ବିରୋଧୀ ଦଳ ନେତା ଗତ ତିନିବର୍ଷ ହେଲା ଯାହା କହିଆସୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ‘ଚୋରି’ କରିବାକୁ ମୋଦୀ ସରକାର ନିର୍ବାଚନ ଆୟୋଗକୁ ଅସ୍ତ୍ରଭାବେ ବ୍ୟବହାର କରିଆସୁଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସୀ ସାଜି ଦେଶବ୍ୟବାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର) କରାଇ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା ପ୍ରମାଣିତ ହୋଇଛି। ଗତ ୧୦ ମାସ ମଧ୍ୟରେ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସାନ୍ଧୁ ଓ ବିବେକ ଯୋଶୀ ୧୪ ଥର ଆୟୋଗର ବିଭିନ୍ନ ନିଷ୍ପତ୍ତିରେ ଆପତ୍ତି ଉଠାଇଥିଲେ ମଧ୍ୟ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସେମାନଙ୍କୁ ଆଡ଼େଇଯାଇ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇଚାଲିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ କମିଶନଙ୍କ ଦୁଇଜଣ ସଦସ୍ୟ ଏହାର ମୁଖ୍ୟଙ୍କ ବିରୋଧରେ ଏପରି ସଂଗୀନ ଅଭିଯୋଗ ଆଣିବା ପୂରା ବ୍ୟବସ୍ଥା କଳୁଷିତ ହୋଇଥିବା ପ୍ରମାଣ କରୁଛି ବୋଲି ଗୁରୁବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି। ସେ ସ୍ମରଣ କରାଇଦେଇଛନ୍ତି, କିପରି କର୍ଣ୍ଣାଟକ, ମହାରାଷ୍ଟ୍ର ଓ ହରିଆନାରେ ଏସ୍ଆଇଆର୍ ଜରିଆାରେ ଭୋଟର ତାଲିକାର ଜାଲିଆତି କରି ବିଜେପି ଭୋଟ ହାତେଇଥିଲା, ତା’ର ପ୍ରମାଣଭିତ୍ତିକ ବିବରଣୀ ରାହୁଲ ଗାନ୍ଧି ପ୍ରଦାନ କରିଥିଲେ। ଏବେ ନିଜେ ଆୟୋଗର ଦୁଇଜଣ ସଭ୍ୟ ଏହା ସତ୍ୟ ବୋଲି ପ୍ରମାଣ କରିଛନ୍ତି। ଭୋଟର ତାଲିକାକୁ ହେରଫେର କରିଥିବା ଅଧିକାରୀ ଦେଶଦ୍ରୋହୀ ବୋଲି ଶ୍ରୀ ରାହୁଲ ଗାନ୍ଧି କହିଛନ୍ତି। ତେଣୁ ଗୋଟିଏ ମୁହୂର୍ତ୍ତ ବି ନିଜ ପଦରେ ରହିବାର ନୈତିକ ଅଧିକାର ଜ୍ଞାନେଶ କୁମାରଙ୍କର ନାହିଁ। ତାଙ୍କୁ ମହାଭିଯୋଗ ପ୍ରକ୍ରିୟାରେ ବହିଷ୍କାର କରାଯିବାକୁ ଶ୍ରୀ ଗାନ୍ଧି ଦାବି କରିଛନ୍ତି। ଏଭଳି କଳଙ୍କିତ କାର୍ଯ୍ୟ କରି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଥିବାରୁ ତାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯାଉ ବୋଲି ଶ୍ରୀମତୀ ପ୍ରିୟଙ୍କା ଗାନ୍ଧି ଦାବି କରିଛନ୍ତି।
ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଆହୁରି ସ୍ମରଣ କରାଇଦେଇ କହିଥିଲେ, ରାହୁଲ ଏ କଥା ମଧ୍ୟ କହିଥିଲେ ଯେ ସିଇସି ନିଯୁକ୍ତି ପ୍ରକ୍ରିୟାରୁ ପ୍ରଧାନ ବିଚାରପତିଙ୍କ ବଦଳରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରଖାଯିବା ଅଗଣତାନ୍ତ୍ରିକ। ତାହା ମଧ୍ୟ ନ୍ୟାୟମୂର୍ତ୍ତି ଦତ୍ତାଙ୍କ କଥାରୁ ସତ ପ୍ରକାଣିତ ହୋଇଛି। ଏବେ ମାମଲା ସୁପ୍ରିମ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠକୁ ଯିବ। ଏଥିରୁ କେନ୍ଦ୍ର ସରକାରଙ୍କ ଅଭିପ୍ରାୟ ଓ ଉଦ୍ଦେଶ୍ୟ ଯେ ମନ୍ଦ ଥିଲା ତାହା ପ୍ରମାଣିତ ହୋଇଛି। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କଟିଥିବା ୩୩ ଲକ୍ଷ ମତଦାତାଙ୍କୁ ପୁଣି ତାଲିକାରେ ସାମିଲ କରାଯିବା ଦ୍ବାରା ପଶ୍ଚିମବଙ୍ଗ ନିର୍ବାଚନ ମଧ୍ୟ ଚଞ୍ଚକତାପୂର୍ଣ୍ଣ ଥିଲା ବୋଲି ପ୍ରମାଣିତ ହୋଇଛି। ଉପରୋକ୍ତ ଜାତୀୟ ପ୍ରେକ୍ଷାପଟ ଯୋଗୁଁ କଂଗ୍ରେସ ଦଳ ଆସନ୍ତା କାଲି ଶୁକ୍ରବାରଠାରୁ ଦେଶବ୍ୟାପୀ ଆନ୍ଦୋଳନ କରୁଥିବା ସେ ସୂଚନା ଦେଇଥିଲେ। ଉପରୋକ୍ତ ଜାଲିଆତିକୁ ବିରୋଧ କରି ଆସନ୍ତା ୨୫ ତାରିଖ ଶୁକ୍ରବାର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ସହସ୍ରାଧିକ ସଂଖ୍ୟାରେ ପିସିସି ପକ୍ଷରୁ ସିଇଓ ଅଫିସ ଘେରାଉ କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ସେହିପଣି ଆସନ୍ତା ସୋମବାର ସବୁ ଜିଲ୍ଲା ମୁଖ୍ୟାଳୟ ଘେରାଉ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ଫର୍ମ-୬କୁ ବେଆଇନ ଭାବେ ସଂଶୋଧନ କରି ଯୁବଭୋଟରମାନଙ୍କ ତାଲିକାରେ ବୈଧ ପ୍ରବେଶକୁ ଆୟୋଗର ମୁଖ୍ୟ ଜ୍ଞାନେଶ କୁମାର ହେରଫେର କରିଥିବା ବେଳେ ଫର୍ମ-୭କୁ ହେରଫେର କରି ବହୁ ଯୋଗ୍ୟ ଲୋକଙ୍କୁ କାଟିବାକୁ ଚକ୍ରାନ୍ତ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଆରଜିପିଆରଏସ ଅଧ୍ୟକ୍ଷ ସୁଦର୍ଶନ ଦାସ ପ୍ରକାଶ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ଏସ ଆଇ ଆର ମାଧ୍ୟମରେ ଲୋକଙ୍କ ଭୋଟ ଅଧିକାରକୁ ଛଡ଼ାଇନେବା ପାଇଁ ମଧ୍ୟ ପ୍ରୟାସ ଚାଲିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ମୁତାବକ ୨୦ ଲକ୍ଷ ୧୨ ହଜାର ଭୋଟ ଏହି ଏସ ଆଇ ଆର ପ୍ରକ୍ରିୟାରେ କଟା ଯାଇଛି l ଜାଣି ଶୁଣି ଓ ଚଞ୍ଚକତା କରି ଏସ ଆଇ ଆର ପ୍ରକ୍ରିୟାରେ ଫର୍ମ ୭ କୁ ଦୂରୋପଯୋଗ କରି ଭୋଟରଙ୍କ ନାମ କାଟିବାର ଚାଞ୍ଚଲ୍ୟକର ନଜିର ଆଜି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ନେତା ତଥା ପୂର୍ବ ନିର୍ବାଚନର ପ୍ରାର୍ଥୀ ଶ୍ରୀ ସୁଦର୍ଶନ ଦାସ ଉପସ୍ଥାପନ କରିଥିଲେ l ସେ କହିଲେ ଯେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ୩୨୬ ବୁଥ ମଧ୍ୟରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ଥିବା ଲୋକଙ୍କୁ ଭୋଟର ଲିଷ୍ଟ ରୁ ବାଦ୍ କରିବା ପାଇଁ ସୁଚିନ୍ତିତ ଯୋଜନା ହୋଇଥିଲା l
ଏହି ନିର୍ବାଚନ ମଣ୍ଡଳୀରେ ଥିବା ୯ ନମ୍ବର, ୨୦୨, ୨୧୨, ୨୪୬, ୨୪୭, ୨୪୮, ୨୪୯, ୨୫୦,୨୫୧, ଇତ୍ୟାଦି ଏକାଧିକ ବୁଥର ସଂଖ୍ୟା ଲଘୁ ଭୋଟର ମାନଙ୍କୁ କାଟିବା ପାଇଁ ମସୁଧା କରାଯାଇଥିଲା l ସେମାନେ ସମସ୍ତେ ୨୦୦୨ ମସିହାରୁ ଭୋଟ ଦେଇ ଆସୁଛନ୍ତି ଏବଂ ସେମାନଙ୍କ କ୍ଷେତ୍ରରେ ଏସ ଆଇ ଆର ପ୍ରସ୍ତୁତିରେ କୌଣସି ଅସୁବିଧା ହେବା କଥା ନୁହଁ l ମାତ୍ର ଚଞ୍ଚକତା ପୂର୍ବକ ସେମାନଙ୍କ ନାମ ତାଲିକା ରୁ କାଟିବା ପାଇଁ ଚକ୍ରାନ୍ତ ହୋଇଥିଲା l ଦାୟିତ୍ୱରେ ଥିବା ଜଳେଶ୍ୱର ବ୍ଲକ ର ଜିପିଓ ଶ୍ରୀ ସବ୍ୟସାଚୀ ଦାସ କିଛି ବିଜେପି ନେତା ଓ କର୍ମୀଙ୍କ ପ୍ରରୋଚନାରେ ଏଭଳି ଚଞ୍ଚକତା କରିଥିଲେ l ଜଣେ ଦୁଇଜଣ ବିଜେପି କର୍ମୀ ୭ ନମ୍ବର ଫାର୍ମରେ ଭୋଟରଙ୍କ ନାମରେ ଜାଲ ଦସ୍ତଖତ କରି ଭୋଟର ଲିଷ୍ଟ ରୁ ନାମ କାଟିବା ପାଇଁ ଯୋଜନା କରିଥିଲେ l କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ଠିକ୍ ସମୟରେ ହସ୍ତକ୍ଷେପ ଫଳରେ ସେମାନଙ୍କ ସେହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା l ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଭୋଟର ତାଲିକାରୁ ନାମ କାଟିବା ସଂକ୍ରାନ୍ତୀୟ ପ୍ରମାଣ ଦେଖାଇଥିଲେ l










