ନୂଆଦିଲ୍ଲୀ: ନେପାଳର ଡୋଲପା ସ୍ଥିତ ଜୁଫାଲ ବିମାନବନ୍ଦରରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳିଯାଇଛି । ନେପାଳଗଞ୍ଜରୁ ଆସୁଥିବା ‘ସୀତା ଏୟାର’ର ଏକ ଯାତ୍ରୀବାହୀ ବିମାନ ଅବତରଣ କରୁଥିବା ସମୟରେ ହଠାତ୍ ପଛ ଚକଟି ଫାଟିଯାଇଥିଲା । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନରେ ଥିବା ୭ ଜଣ ବିଦେଶୀ ନାଗରିକଙ୍କ ସମେତ ସମସ୍ତ ୧୩ ଜଣ ଯାତ୍ରୀ ଏବଂ କ୍ରିଉ ସଦସ୍ୟ ସୁରକ୍ଷିତ ଭାବେ ବର୍ତ୍ତି ଯାଇଛନ୍ତି । ସକାଳ ପ୍ରାୟ ୮ଟା ୨୫ ମିନିଟ୍ରେ ନେପାଳଗଞ୍ଜ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ସୀତା ଏୟାରର ନାଇନ୍-ଏନ୍-ଏଜେଏଚ୍ ବିମାନଟି ଡୋଲପାର ଜୁଫାଲ ବିମାନବନ୍ଦରରେ ଲ୍ୟାଣ୍ଡିଂ କରୁଥିଲା ।
ରନୱେ ଛୁଇଁବା ମାତ୍ରେ ହିଁ ବିମାନର ପଛପଟ ଟାୟାରଟି ଫାଟିଯାଇଥିଲା, ତଥାପି ପାଇଲଟ୍ ବିମାନଟିକୁ ସଠିକ୍ ଭାବେ ନିୟନ୍ତ୍ରଣ କରି ରନୱେ ଉପରେ ଅଟକାଇବାରେ ସଫଳ ହୋଇଥିଲେ । ବିମାନବନ୍ଦର ସୁରକ୍ଷା କର୍ମୀଙ୍କ ସୂଚନା ଅନୁସାରେ ଟାୟାର ଫାଟିବା ବ୍ୟତୀତ ବିମାନର ଅନ୍ୟ କୌଣସି କ୍ଷତି ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବିମାନଟି ରନୱେ ମଝିରେ ଅଟକି ରହିବା ଫଳରେ ଏୟାରପୋର୍ଟରେ ବିମାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବିମାନବନ୍ଦରରେ ଉଡ଼ାଣ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇ ରନୱେ କ୍ଲିୟର କରିବା କାର୍ଯ୍ୟ ଜାରି ରହିଛି ।










