ଭୁବନେଶ୍ବର: କୁଆଖାଇକୁ ପୁଣି ଡେଇଁଲେ ଯୁବକ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ନିକଟରେ ଜଣେ ଯୁବକ ନଦୀକୁ ଡେଇଁ ପଡ଼ିଥିଲେ। ମାତ୍ର ଅଗ୍ନିଶମ ବାହିନୀର ତ୍ବରିତ ପଦକ୍ଷେପ ଯୋଗୁଁ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଉଦ୍ଧାର ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ନାଁ ସୂର୍ଯ୍ୟ ନାରାୟଣ ଜେନା । ସେ ଅନ୍ ଲାଇନ ଫୁଡ୍ ଡେଲିଭରି ସଂସ୍ଥାରେ କାମ କରନ୍ତି । ବଡ଼ଗଡ଼ ଥାନା ଅଞ୍ଚଳରେ ସେ ତାଙ୍କର ଭଉଣୀ ଭିଣୋଇଙ୍କ ପାଖେ ରହୁଥିଲେ । ଗତକାଲି ସେ ମୋବାଇଲ ଫୋନ ହଜାଇ ଦେଇଥିଲେ l ଏହାକୁ ନେଇ ଭଉଣୀ ଭିଣୋଇ ତାଙ୍କୁ ଆକଟ କରିଥିଲେ l ରାଗିଯାଇ ସୂର୍ଯ୍ୟ ରାତି ପାଖାପାଖି ଗୋଟାଏ ବେଳେ ବାଇକରେ ଆସି ଟଙ୍କପାଣି ବ୍ରିଜ୍ ଉପରୁ ଡେଇଁ ପଡ଼ିଥିଲେ l ସ୍ଥାନୀୟ ଲୋକ ଏନେଇ ତୁରନ୍ତ ବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।










