ଭୁବନେଶ୍ଵର : ଜଣେ ଦରଦୀ ମଣିଷ ଥିଲେ ବିଜୟ କୁମାର ପଟ୍ଟନାୟକ। ସେ ମନର କଥା ବୁଝି ପାରୁଥିଲେ। କର୍ମକ୍ଷେତ୍ରରେ ସାନବଡ଼ ଭେଦଭାବଠୁ ଦୂରରେ ରହି କର୍ମଚାରୀଙ୍କୁ କୋଳେଇ ନେବାର ଦକ୍ଷତା ରଖିଥିଲେ। ସମସ୍ତଙ୍କ ସୁବିଧା ଅସୁବିଧାରେ ଠିଆ ହେଉଥିଲେ। ସେହି ସ୍ନେହ, ଭଲ ପାଇବା ଆଜି ତାଙ୍କୁ କୋଟି ହୃଦୟରେ ଅମର କରି ରଖିଛି। ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଷଷ୍ଠ ବାର୍ଷିକ ପୁଣ୍ୟତିଥି ଅବସରରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।ବିଜୟ କୁମାର ପଟ୍ଟନାୟକ ମେମୋରିଆଲ୍ ଆଣ୍ଡ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଆଜି ସ୍ବର୍ଗତ ପଟ୍ଟନାୟକଙ୍କ ଷଷ୍ଠ ବାର୍ଷିକ ପୂଣ୍ୟତିଥି ଅବସରରେ ହୋଟେଲ୍ ସ୍ବସ୍ତି ପ୍ରିମିୟମଠାରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ୍ ଅଧ୍ୟକ୍ଷ ତଥା ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାର ସମ୍ମାନିତ ଅତିଥି ସ୍ଵାମୀ ସୁଧାନନ୍ଦ ସରସ୍ଵତୀ କହିଥିଲେ, ସଂସାରରୁ ଆମକୁ ଦିନେ ନା ଦିନେ ଯିବାକୁ ହେବ। କିନ୍ତୁ ଏମିତି କିଛି କରିଯିବା, ସମସ୍ତେ ମନେ ରଖିବେ। ବଞ୍ଚିଥିବା ବେଳେ ପ୍ରଶଂସା ଅପେକ୍ଷା ମୃତ୍ୟୁ ପରେ ଯଦି କେହି ପ୍ରଶଂସା କରୁଛି, ମନେ ପକାଉଛି, ତାହା ହିଁ ପ୍ରକୃତ ଭଲ ପାଇବା। ବଞ୍ଚିଥିବା ବେଳେ ଆମେ ନିଜ ବଦଳରେ ଅନ୍ୟ ପାଇଁ କେତେ ବଞ୍ଚିଛେ, ସେତିକି ଅଧିକ ପୁଣ୍ୟ
ଲଭିବା। ଭଲ କାମ କଲେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପାଖରେ ଲୋକେ ରହିବେ। ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ, ବିଲାତରୁ ଆଣି ‘ସମ୍ବାଦ’ ଖବରକାଗଜ ଚଳାଇବାର ବୁଦ୍ଧି ବିଜୟ ବାବୁ ଦେଇଥିଲେ। ତାଙ୍କ ପାଇଁ ମୁଁ ଆଜି ଏଠି ଠିଆ ହୋଇଛି। ସେ ଥିଲେ ମୋର ପ୍ରଥମ ସହକର୍ମୀ। ଏଭଳି ଜଣେ ସହଯୋଗୀ ଦେଇଥିବାରୁ ଭଗବାନଙ୍କୁ ସବୁବେଳେ ଧନ୍ୟବାଦ ଦିଏ। ବିଜୟ ପଟ୍ଟନାୟକଙ୍କୁ ପାଇବା ମୋର ସୌଭାଗ୍ୟ ଥିଲା। ସେ ଜଣେ ସଫଳ କାହାଣୀର ) ବାର୍ଷିକ ପତ୍ନିନ୍ଦ ପୁଣ୍ୟତିଥି ଉପଲକ୍ଷେନାୟକ ଥିଲେ । ଅନେକ ପ୍ରତିଭାର ଅଧିକାରୀ ଥିଲେ। ଏଭଳି ପ୍ରତିଭାଙ୍କୁ କେବେ ବି ଭୁଲିବାକୁ ଦେବାନି | ଆମ ଉଚ୍ଚାରଣ ଓ ଆଚରଣ ସହ ବିଚାରରେ ବିଜୟ ବାବୁ ପ୍ରତିଫଳିତ ହେଲେ, ତାହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ସମ୍ମାନିତ ଅତିଥି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ‘ସମ୍ବାଦ’ ଯେବେ ସଂଘର୍ଷ ଦେଇ ଗତି କରୁଥିଲା, ସେ ସମୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ପାଖରେ ଯଦି କେହି ଦୃଢ଼ ସ୍ତମ୍ଭ ହୋଇ ଛିଡ଼ା ହୋଇଥିଲେ, ସେ ହେଉଛନ୍ତି ବିଜୟ ପଟ୍ଟନାୟକ। ‘ସମ୍ବାଦ’ର ସୌମ୍ୟରଂଜନ ପଟ୍ଟନାୟକ ଛାତ ହେଲେ, ବିଜୟ ପଟ୍ଟନାୟକ ଥିଲେ ଚଟାଣ ଓ ସ୍ତମ୍ଭ। ସୌମ୍ୟରଂଜନ ପଟ୍ଟନାୟକ ଶ୍ରୀରାମ ହେଲେ, ବିଜୟ ପଟ୍ଟନାୟକ ଥିଲେ ହନୁମାନ। କାଳି, କାଗଜ, ଅର୍ଥ ଅଭାବ ଅବା ଅନ୍ୟ କିଛି ଅସୁବିଧା, ସବୁବେଳେ ସେ ଆଗରେ ଠିଆ ହୋଇଥିଲେ । ଅନେକ ଅନୁଷ୍ଠାନର ସେ ପ୍ରାଣକେନ୍ଦ୍ର ଥିଲେ। କର୍ମଚାରୀଙ୍କ ଦୁଃଖ ବୁଝୁଥିଲେ। ଅର୍ଥିକ ସମସ୍ୟା ହେଉ କି ସ୍ବାସ୍ଥ୍ୟଗତ, ସବୁବେଳେ ପାଖରେ ଠିଆ ହେଉଥିଲେ। ‘ସମ୍ବାଦ’ରେ ଏଭଳି ହୃଦୟବାନ ମଣିଷ କେହି ନଥିବେ। ଆଜି ମୁଁ ରାଜନୀତିକୁ ଆସିବା ପଛରେ ତାଙ୍କର ପ୍ରେରଣା ବି ରହିଛି।
ସମ୍ମାନିତ ଅତିଥି ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ସ୍ଵର୍ଗତ ପଟ୍ଟନାୟକ ସବୁ କାମ ନିଜେ କରନ୍ତି, କିନ୍ତୁ ଶ୍ରେୟ ଅନ୍ୟକୁ ଦିଅନ୍ତି। ‘ସମ୍ବାଦ’କୁ ଆଣିବାରେ ତାଙ୍କର ଅବଦାନ ବହୁତ। ସେ ସମୟରେ ସାମ୍ବାଦିକଙ୍କ ମହଲରେ ଦୁଇଜଣଙ୍କ ନାମ ଚର୍ଚ୍ଚାରେ ଥିଲା। ଜଣେ ବିଦେଶରୁ ଫେରିଥିବା ସୌମ୍ୟରଂଜନ ପଟ୍ଟନାୟକ, ଅନ୍ୟ ଜଣେ ବିଜୟ ପଟ୍ଟନାୟକ। ସେ ଜଣେ ଭଲ ବନ୍ଧୁ, ଭଲ ସଂଗଠକ ଥିଲେ। ପରିଚାଳନା ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ଶତପଥୀ, ଖବରକାଗଜ ବିତରକ ପ୍ରଦୀପ ପାଢ଼ୀ, କେନ୍ଦୁଝରର ଛାତ୍ର ରିଙ୍କୁ ମହାନ୍ତ, ଜଗତସିଂହପୁରର ଆଶା କର୍ମୀ ଆଲୋକରଶ୍ମି ପାଲୁଆର, ସାମ୍ବାଦିକ ରାମକୃଷ୍ଣ ବାରିକଙ୍କୁ କାର୍ଯ୍ୟକ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟି ଡ. ସମ୍ବେଦନା ମହାନ୍ତି ଧନ୍ୟବାଦ ଦେଇଥିଲେ। ସକାଳେ ସିଆରପି ଛକ ହନୁମାନ ମନ୍ଦିରଠାରେ ୧୦୮ ଦୀପଦାନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଏଥିରେ ଯୋଗଦେଇ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।










