ଗଞ୍ଜାମ: ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା । ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ ଛାତ୍ର ନିଖୋଜ ହେବାର କିଛି ଘଣ୍ଟା ମଧ୍ୟରେ ଶୁକ୍ରବାର ରାତିରେ ଜେନେରେଟର ନିଆଁ ଲାଗି ୫ ଜଣ କୋମଳମତି ଶିଶୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତ ଶିଶୁ ସୀତାରାମପୁର ଆଗ୍ରାହରମ୍ ସାହିର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭସାଣି ଶୋଭାଯାତ୍ରା ସମୟରେ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା ।
ତାହା ନିକଟରେ ପେଟ୍ରୋଲ୍ ଜାର୍ ରଖାଯାଇଥିବା ବେଳେ ଏହି ଶିଶୁମାନେ ସେହି ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ । ତେବେ ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁ ନିକଟରେ ଥିବା ପେଟ୍ରୋଲ୍ ଜାର୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ । ଦୁର୍ଘଟଣା ପରେ ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ମାତ୍ର ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ହସ୍ପିଟାଲରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବା ସହ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ବ୍ରହ୍ମପୁର ପଠାଇବାର ବ୍ୟବସ୍ଥା କରିଛନ୍ତି ।










