ଭୁବନେଶ୍ୱର: ପାର୍ବଣ ମନସ୍କ ହେଲାଣି ପୁରୀ। ମା’ ଦୁର୍ଗାଙ୍କ ଆବାହନ ପାଇଁ ପୁରୀବାସୀ ପ୍ରସ୍ତୁତ ହେଉଥିବା ବେଳେ ଶୃଙ୍ଖଳିତ ନୀତିକାନ୍ତି ସହ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ପୂଜା ଓ ଭସାଣି ସମୟରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି।ପୂଜା ମଣ୍ଡପଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ପୁଲିସ ଅଧିକାରୀମାନଙ୍କୁ କୁହାଯାଇଛି। ମଣ୍ଡପକୁ ଯାଉଥିବା ରାସ୍ତାରେ ଯେପରି ଖାଲଖମା ନରହେ, ସେଥିପାଇଁ ପୁରୀ ମହାନଗର ନିଗମ ଓ ରାସ୍ତା ଓ କୋଠାବାଡ଼ି ବିଭାଗକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି। ପୂଜା ପୂର୍ବରୁ ବିପଦସଙ୍କୁଳ ବିଦ୍ୟୁତ ତାର ହଟାଇବା ପାଇଁ ପିଏମ୍ସି ଓ ଟିପିସିଓଡିଏଲ୍କୁ ମଧ୍ୟ କୁହାଯାଇଛି।
ଏଥର ପୂଜା କମିଟିଗୁଡ଼ିକ ପକ୍ଷରୁ ବାଣ ଫୁଟାଇବା ଉପରେ ରୋକ ଲଗାଯାଇଛି। ଏଥିସହ ଭିଡ଼ ଓ ଟ୍ରାଫିକ୍ ଜାମ୍କୁ ଏଡ଼ାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ଅକ୍ଟୋବର ୨୦ ତାରିଖରେ ଦଶହରା ପାଳନ ହେବ। ଏହା ପୂର୍ବରୁ ସେପ୍ଟେମ୍ବର ୧୬ରେ ଷଷ୍ଠୀ, ୧୭ରେ ମହାସପ୍ତମୀ, ୧୮ରେ ମହାଷ୍ଟମୀ ଓ ୧୯ ତାରିଖରେ ମହାନବମୀ ଅନୁଷ୍ଠିତ ହେବ। ଦଶହରା ପରେ ଅକ୍ଟୋବର ୨୨ ତାରିଖରେ ସିଂହଦ୍ୱାର ନିକଟରେ ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେବ।
ଭସାଣି ଦିନ ସିଂହଦ୍ୱାର ସମ୍ମୁଖରେ ସମସ୍ତ ମେଢ଼ ଏକାଠି ହେବେ। ସେଠାରେ ମେଢ଼ ପ୍ରଦର୍ଶନ ପରେ ଭସାଣି ଉତ୍ସବ ଆୟୋଜିତ ହେବ। ପରେ ମେଢ଼ଗୁଡ଼ିକୁ ମହାନଗର ପକ୍ଷରୁ ଶ୍ରୀସେତୁ ନିକଟ ମୂଷା ନଈରେ ପ୍ରସ୍ତୁତ ହେବାକୁ ଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ। ପାର୍ବଣକୁ ନେଇ ଏବେଠାରୁ ପଲ୍ଲୀରୁ ସହର ଉତ୍ସବମୁଖର ହେବାକୁ ଲାଗିଲାଣି। ମା’ଙ୍କ ଆବାହନ ପାଇଁ ପୁରୀବାସୀଙ୍କ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷାରେ ପ୍ରଶାସନ କେତେଦୂର ସଫଳ ହେଉଛି, ତାହା ଉପରେ ନଜର ରହିବ।










