ଭୁବନେସ୍ଵର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି । ତେବେ ଏସବୁ ଆକଳନ ମଧ୍ୟରେ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଘରୋଇ ସଂସ୍ଥାମାନେ ସେମାନଙ୍କ ଅନୁମାନ କରନ୍ତୁ, କିନ୍ତୁ ସରକାରଙ୍କ ପ୍ରସ୍ତୁତି ୩୬୫ ଦିନ ଜାରି ରହିଛି । ବିପର୍ଯ୍ୟୟର ସଠିକ୍ ଆକଳନ ଓ ଆଗୁଆ ସୂଚନା ପାଇଁ ରାଜ୍ୟରେ ଅତ୍ୟାଧୁନିକ ଡପଲର୍ ରାଡାର୍ ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଉଛି ।
ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଭଳି ଅଞ୍ଚଳରୁ ମଧ୍ୟ ତଥ୍ୟ ସଂଗ୍ରହ କରି ଆଗୁଆ ରିପୋର୍ଟ ପ୍ରସ୍ତୁତ କରାଯିବ। ଏଯାଏଁ ବାତ୍ୟା ନେଇ ସେଭଳି କୌଣସି ନିଶ୍ଚିତ ଆକଳନ ହୋଇନଥିବା କହିବା ସହ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରହିବ ବୋଲି ସୁରେଶ ପୂଜାରୀ କହିଛନ୍ତି।










