ଭୁବନେଶ୍ୱର: ଉତ୍ତରରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ, ସାରା ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ଚାଲିଛି ଅଗ୍ରପୂଜ୍ୟଙ୍କ ଆରାଧନା । କେଉଁଠି ସୁନାରେ ତ କେଉଁଠି ଚାନ୍ଦିରେ ଆଭୂଷିତ ହୋଇଛନ୍ତି । ଅଗ୍ରପୂଜ୍ୟଙ୍କ ଆରାଧନାରେ ନିମଗ୍ନ ପୁରପଲ୍ଲୀ । ଶିକ୍ଷାନୁଷ୍ଠାନରୁ କ୍ଲବ୍ ଓ ବିଭିନ୍ନ ପୂଜା କମିଟି ସବୁଠି ଶୋଭାପାଇଛି ବକ୍ରତୁଣ୍ଡ ମହାକାୟଙ୍କ ମୃଣ୍ମୟ ପ୍ରତିମା । ଏଥିସହ ସୁଦୃଶ୍ୟ ତୋରଣ ଓ ମଣ୍ଡପରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ତେବେ ଗଣେଶ ପୂଜା ପାଇଁ ପ୍ରସିଦ୍ଧ ଖୋର୍ଦ୍ଧାର ଜଟଣୀ ଓ ତାଳଚେର ସମେତ ରାଜ୍ୟର ବିଭିନ୍ନ ସହର ଉଠୁଛି ପଡ଼ୁଛି । ଜଟଣୀରେ ବିଭିନ୍ନ କ୍ଲବ ପକ୍ଷରୁ ଗଣେଶ ପୂଜା ଖୁବ୍ ଆଡମ୍ବର ସହକାରେ ପାଳିତ ହେଉଛି। ସନ୍ଧ୍ୟା ହେଲେ ଚିକମିକ୍ ଲାଇଟରେ ଚମକୁଛି ତୋରଣ। ଧୂପଦୀପ, ଫୁଲଫଳ, ଭୋଗନୈବେଦ୍ୟ ସହ ପ୍ରଭୁ ଗଣପତିଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ ।










