ନୂଆଦିଲ୍ଲୀ: ୨ ହଜାର ଟଙ୍କା ଯାଏଁ ୟୁପିଆଇ ପେମେଣ୍ଟ ଉପରେ ଲାଗିବନି କୌଣସି ପ୍ରକାର ଶୁଳ୍କ । ସରକାର ୟୁପିଆଇ, ରୁପେ ଡେବିଟ କାର୍ଡ ବ୍ୟବହାର ଉପରେ ଏହି ବଡ ନିର୍ଦ୍ଦେଶ ଜାରି କରିଛନ୍ତି । ୟୁପିଆଇ ମାଧ୍ୟମରେ ଦୁଇ ହଜାରରୁ କମ ମୂଲ୍ୟର ପେମେଣ୍ଟ ଉପରେ କୌଣସି ଶୁଳ୍କ ନିଆଯିବ ନାହିଁ । ଏନେଇ ଏକ ନୂତନ ସରକାରୀ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁପିଆଇ ଏବଂ ରୂପେ ଡେବିଟ କାର୍ଡ ବ୍ୟବହାର କରାଯାଉତିବା ଛୋଟ ଛୋଟ ପେମେଣ୍ଟ ସମ୍ପର୍କରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି । ଅର୍ଥମନ୍ତ୍ରାଳୟ ଏ ସଂପର୍କରେ ବିଜ୍ଞପ୍ତି ଜାରି କରିଛି । ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ, ବ୍ୟାଙ୍କ କିମ୍ବା ସେବା ପ୍ରଦାନକାରୀ ସଂସ୍ଥାମାନେ ୨ ହଜାର ଟଙ୍କା ଯାଏଁ ୟୁପିଆଇ କାରବାର ପାଇଁ କୌଣସି ଶୁଳ୍କ ଆଦାୟ କରିବେ ନାହିଁ । ପ୍ରତ୍ୟେକ୍ଷ , ପରୋକ୍ଷ ଭାବରେ ମଧ୍ୟ ଏହି ଅର୍ଥ ଆଦାୟ କରାଯିବ ନାହିଁ । ଏହା ଦ୍ୱାରା ଛୋଟ ଦୋକାନୀ , କିରାଣା ଦୋକାନୀ, ରାସ୍ତା ବିକ୍ରେତା ମାନେ ଏହା ସହିତ ଛୋଟଛୋଟ ବ୍ୟବସାୟୀ ଏବଂ ଗ୍ରାହକମାନେ ସିଧାସଳଖ ଲାଭପାଇପାରିବେ ।










