ନୂଆଦିଲ୍ଲୀ : ୨୦୧୩ ଦୁଷ୍କର୍ମ ମାମଲାରେ ‘ତହଲକା’ର ପୂର୍ବତନ ଏଡିଟର-ଇନ୍-ଚିଫ୍ ତରୁଣ ତେଜପାଲ ଆତ୍ମସମର୍ପଣ କରିଛନ୍ତି । ସୋମବାର ଗୋଆର ମାପୁସା କୋର୍ଟରେ ସେ ସରେଣ୍ଡର କରିଛନ୍ତି । ବମ୍ବେ ହାଇକୋର୍ଟଙ୍କ ଦୋଷୀ ସାବ୍ୟସ୍ତ ରାୟ ବିରୋଧରେ ତାଙ୍କ ଆବେଦନର ଶୁଣାଣି ପୂର୍ବରୁ ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଗତ ମାସରେ ସୁପ୍ରିମକୋର୍ଟ ତେଜପାଲଙ୍କ ସରେଣ୍ଡରରୁ ଛାଡ଼ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଏଥିସହ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଘଟଣାଟି ୨୦୧୩ ନଭେମ୍ବରର । ଜଣେ ମହିଳା ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ୭ ଓ ୮ ନଭେମ୍ବର ୨୦୧୩ରେ ଗୋଆର ଏକ ହୋଟେଲର ଲିଫ୍ଟ ଭିତରେ ତେଜପାଲ ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ୩୦ ନଭେମ୍ବର ୨୦୧୩ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା ।ମାମଲାର ଶୁଣାଣି ପରେ ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନର ଶୁଣାଣି ପାଇଁ ତାଙ୍କ ପକ୍ଷରୁ ଦାବି କରାଯାଉଛି । ସରେଣ୍ଡର କରିବାରୁ ଛାଡ଼ ପାଇଁ ତେଜପାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଥମେ ତାଙ୍କ ଆବେଦନକୁ ତାଲିକାଭୁକ୍ତ କରି ଶୁଣାଣି କରାଯାଉ ଏବଂ ଏହାପରେ ସରେଣ୍ଡରର ଆବଶ୍ୟକତା ଉପରେ ନିଷ୍ପତ୍ତି ନିଆଯାଉ ବୋଲି ତାଙ୍କ ପକ୍ଷରୁ ଦାବି କରାଯାଇଥିଲା ।









