ସମ୍ବଲପୁର: କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଁଖାଇ ଦିନ ପ୍ରଥମେ ନୂଆଁ ଚାଉଳରେ ଭୋଗ ଲାଗିବାର ପରମ୍ପରା ରହିଛି | ତେଣୁ ଆଜି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଘରକୁ ପହଞ୍ଚିବ ନୂଆଁଖାଇର ନୂଆଁ ଧାନ | ସମ୍ବଲପୁର ସହର ଉପକଣ୍ଠ ବଲବସପୁର ଗାଁର ସୁବାସ ବେହେରାଙ୍କ ଘରୁ ନୂଆ ସାରିଆ ଧାନ ଆସିବ | ମା’ ସମଲେଶ୍ୱରୀଙ୍କ ପାଇଁ ଏହି ପରିବାର ଏକ ସ୍ୱତନ୍ତ୍ର ଜମିରେ ଧାନ ଚାଷ କରିଥାନ୍ତି। ଯେଉଁଠି ପାଣି ଅଧିକ ଜମା ହେଉନଥିବ ସେହି ଜମିରେ ସରିଆ ଧାନ ଚାଷ ହୋଇଥାଏ | ଏହି ଧାନ 2 ମାସ ବା 60 ଦିନରେ ଅମଳ ହେଉଥିବାରୁ ଏହାକୁ ଷାଠିଏ ଧାନ ମଧ୍ୟ କୁହାଯାଏ | ଏହି ଧାନ ସମ୍ପୂର୍ଣ୍ଣ ରୂପେ ପଚିବା ପୂର୍ବରୁ ଏହାକୁ ବିଲରୁ ଅଣାଯାଇ ସମଲେଶ୍ୱରୀ ମନ୍ଦିରକୁ ପଠାଯାଏ | ଏହି ଧାନକୁ କୌଣସି ପଶୁ ପକ୍ଷୀ ଯେମିତି ସ୍ପର୍ଶ କରି ନ ପାରିବେ ତା ଉପରେ ଧ୍ୟାନ ରଖାଯାଏ |










