ରାଷ୍ଟ୍ରୀୟ ପୋଷଣ ମାସ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, ଶିଶୁ, କିଶୋର-କିଶୋରୀ ଏବଂ ସେମାନଙ୍କ ପରିବାରରେ ପୋଷଣ, ସ୍ୱାସ୍ଥ୍ୟ ଏବଂ ଯତ୍ନ ନେବାର ବ୍ୟବହାରକୁ ସୁଦୃଢ଼ କରିବା ସହିତ ଜନସମୁଦାୟକୁ ସଚେତନ କରିବା ପାଇଁ ଏକ ସମର୍ପିତ ମଞ୍ଚ ଭାବରେ ପାଳନ କରାଯାଏ। ୯ ସେପ୍ଟେମ୍ବର ୨୦୨୬ରେ ଆରମ୍ଭ ହେଉଥିବା ‘୯ମ ପୋଷଣ ମାସ ୨୦୨୬’ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରେ। ଏହା ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ପାଇଁ ସନ୍ତୁଳିତ, ପ୍ରୋଟିନ୍-ଯୁକ୍ତ ପୋଷଣ ବିଷୟରେ ସଚେତନତା ସୃଷ୍ଟି କରିବ।
ଅପପୁଷ୍ଟି ଭାରତର ଅନ୍ୟତମ ପ୍ରମୁଖ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇ ରହିଛି, ଯାହା ଜୀବନର ବିଭିନ୍ନ ସମୟରେ ମହିଳା ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ବୃଦ୍ଧି, ଶିକ୍ଷା ଏବଂ ଉତ୍ପାଦକତାକୁ ପ୍ରଭାବିତ କରିଥାଏ। ଏହାର ସମନ୍ବିତ ମୁକାବିଲା ପାଇଁ, ଭାରତ ସରକାର ମାର୍ଚ୍ଚ ୨୦୧୮ରେ “ପୋଷଣ ଅଭିଯାନ” ଶୁଭାରମ୍ଭ କରିଥିଲେ, ଯାହାକି ଏକ ବହୁ-ମନ୍ତ୍ରଣାଳୟ ସମନ୍ୱୟ ଭିତ୍ତିକ ମିଶନ ଏବଂ ଏହାର କେନ୍ଦ୍ରରେ ରହିଛି ‘ପୋଷଣ’। କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ରେ, ଏହି ପଦକ୍ଷେପଗୁଡ଼ିକୁ “ମିଶନ ପୋଷଣ ୨.୦” ଅଧୀନରେ ଏକତ୍ରିତ କରାଯାଇଥିଲା-ଯାହା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଭାରତର ଏକୀକୃତ ଜାତୀୟ ପୋଷଣ ମିଶନ।
ପୋଷଣ ୨.୦ ତିନୋଟି ମୁଖ୍ୟ ଯୋଜନାକୁ ଗୋଟିଏ ଢାଞ୍ଚାରେ ଏକତ୍ରିତ କରେ:
• ପୋଷଣ ଅଭିଯାନ: (ପ୍ରଯୁକ୍ତିବିଦ୍ୟା-ଆଧାରିତ ନିରୀକ୍ଷଣ, ଜନ ଆନ୍ଦୋଳନ, ଏବଂ ବ୍ୟବହାରଗତ ପରିବର୍ତ୍ତନ)।
• ଅଙ୍ଗନବାଡ଼ି ସେବା/ସମନ୍ବିତ ଶିଶୁ ବିକାଶ ସେବା (ICDS): (ପରିପୂରକ ପୋଷଣ, ଗରମ ରନ୍ଧା ଖାଦ୍ୟ, ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ)।
• କିଶୋରୀ ଯୋଜନା: ( ବିଦ୍ୟାଳୟ ଯାଉନଥିବା ବାଳିକା ଓ କିଶୋରୀମାନଙ୍କ ପାଇଁ ପୋଷଣ ସହାୟତା)।
ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପାଳିତ ହେଉଥିବା “ରାଷ୍ଟ୍ରୀୟ ପୋଷଣ ମାସ” ମାଧ୍ୟମରେ ସରକାର “ମିଶନ ପୋଷଣ ୨.୦” ଯୋଜନା ଏବଂ ଏହାର ଉଦ୍ଦେଶ୍ୟ ବିଷୟରେ ସଚେତନତା ସୃଷ୍ଟି କରିଥାନ୍ତି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଗୁରୁତ୍ୱକୁ ସ୍ୱୀକୃତି ଦେବା ପାଇଁ ଉତ୍ତରପ୍ରଦେଶର ବାରାଣସୀସ୍ଥିତ ରୁଦ୍ରାକ୍ଷ ଇଣ୍ଟରନ୍ୟାସନାଲ କୋଅପରେସନ୍ ଆଣ୍ଡ କନଭେନସନ୍ ସେଣ୍ଟରଠାରେ ୯ ସେପ୍ଟେମ୍ବର ୨୦୨୬ରେ ୯ମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ହେଉଛି ବିଶ୍ୱର ସବୁଠାରୁ ବଡ଼ ଶିଶୁ ଯତ୍ନ ନେଟୱାର୍କ, ଯାହା ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଥିବା ଶିଶୁମାନଙ୍କୁ ମଧ୍ୟ ଆବଶ୍ୟକୀୟ ଯତ୍ନ ଓ ସହାୟତା ପ୍ରଦାନ କରିଥାଏ। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ହେଉଛି “ହମାରୀ ଅଙ୍ଗନବାଡ଼ି ହମାରୀ ଜିମ୍ମେଦାରୀ” (ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ), ଯାହା ପ୍ରତ୍ୟେକ ନାଗରିକଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ମିଳିତ ଅଧିକାର ଓ ଦାୟିତ୍ୱ ନେବାକୁ ଆହ୍ୱାନ କରେ।
୯ମ ରାଷ୍ଟ୍ରୀୟ ପୋଷଣ ମାସ
“ହମାରୀ ଅଙ୍ଗନବାଡ଼ି, ହମାରୀ ଜିମ୍ମେଦାରୀ” (ଆମ ଅଙ୍ଗନବାଡ଼ି, ଆମ ଦାୟିତ୍ୱ)ର ମୁଖ୍ୟ ବିଷୟବସ୍ତୁ ଅଧୀନରେ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୬, ପୋଷଣ ପାଇଁ ସାମୂହିକ ମାଲିକାନା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ସହିତ ପୋଷଣ, ଯତ୍ନ ଏବଂ ପ୍ରାରମ୍ଭିକ ଶୈଶବ ବିକାଶ ପାଇଁ ଜନସମୁଦାୟ-ଚାଳିତ ପଦକ୍ଷେପର କେନ୍ଦ୍ରବିନ୍ଦୁ ଭାବରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଛି। ପରସ୍ପରକୁ ସୁଦୃଢ଼ କରୁଥିବା ୫ଟି ପ୍ରାଥମିକତା ଉପରେ ଏହାକୁ ଆଧାରିତ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେଗୁଡ଼ିକ ହେଉଛି
● ପର୍ଯ୍ୟାପ୍ତ ପ୍ରୋଟିନ୍ ଗ୍ରହଣ, ବିଭିନ୍ନ ଖାଦ୍ୟ ସମୂହ ଏବଂ ସ୍ଥାନୀୟ ଖାଦ୍ୟ ଉପରେ ଧ୍ୟାନ ଦେଇ ଆହାରଗତ ବିବିଧତାର ପ୍ରସାର;
● ମେନ୍ୟୁ ବା ଖାଦ୍ୟସୂଚୀରେ ପରିବର୍ତ୍ତନ, ସ୍ୱଚ୍ଛତା ଏବଂ ଗୁଣବତ୍ତା ନିଶ୍ଚିତତା ମାଧ୍ୟମରେ ପରିପୂରକ ପୋଷଣ କାର୍ଯ୍ୟକ୍ରମ ଅଧୀନରେ ତାଜା, ବିବିଧ ଗରମ ରନ୍ଧା ଖାଦ୍ୟର ପ୍ରସାର;
● ନୂତନ ଭାବେ ଗଠିତ ଏଏମସି ଏବଂ ଏସଏନପି ମେନୁ ବୋର୍ଡର ପ୍ରଦର୍ଶନ ମାଧ୍ୟମରେ ପୋଷଣ ପାଇଁ ଜନସମୁଦାୟର ଅଧିକାର ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା;
● ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାର ମୌଳିକ ସ୍ତମ୍ଭ ଭାବରେ ବୌଦ୍ଧିକ ବିକାଶ ଏବଂ ପର୍ଯ୍ୟାପ୍ତ ପୋଷଣକୁ ପ୍ରୋତ୍ସାହିତ କରିବା ଏବଂ
● ରାଷ୍ଟ୍ରୀୟ ପୋଷଣ ମାସ ୨୦୨୬ ଭାରତର ପ୍ରମୁଖ ମାତୃତ୍ୱ କଲ୍ୟାଣକାରୀ କାର୍ଯ୍ୟକ୍ରମ “ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା” (PMMVY)ର ୧୦ ବର୍ଷ ପୂର୍ତ୍ତିକୁ ମଧ୍ୟ ପାଳନ କରିବ।
ପ୍ରସ୍ତାବିତ ବିଷୟ:
୧. ଆହାରଗତ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍: ଶସ୍ୟ ଓ ମିଲେଟ୍ସ, ଡାଲି ଜାତୀୟ ଖାଦ୍ୟ, ଫଳ ଓ ପନିପରିବା, ବାଦାମ ଓ ମଞ୍ଜି ଓ ଦୁଗଧଜାତୀୟ ଦ୍ରବ୍ୟ ସହିତ ଉଭୟ ଉଦ୍ଭିଦ ଓ ପ୍ରାଣୀ ଜାତୀୟ ଉତ୍ସରୁ ପର୍ଯ୍ୟାପ୍ତ ପ୍ରୋଟିନ୍ ଅନ୍ତର୍ଭୁକ୍ତ ହୋଇଥିବା ବିବିଧ ଆହାର ପୋଷକ ତତ୍ତ୍ୱର ଆବଶ୍ୟକତା ପୂରଣ କରିବା, ସୁସ୍ଥ ବୃଦ୍ଧି ଓ ବିକାଶରେ ସହାୟତା କରିବା ଏବଂ ସମସ୍ତ ପ୍ରକାର କୁପୋଷଣକୁ ରୋକିବା ପାଇଁ ଅତ୍ୟାବଶ୍ୟକ। ଜୀବନସାରା, ବିଶେଷ କରି ପୂରକ ଖାଦ୍ୟ ପ୍ରଦାନ ସମୟରେ ଆହାରଗତ ବିବିଧତାକୁ ପ୍ରୋତ୍ସାହିତ କରିବା, ପୋଷଣର ଫଳାଫଳରେ ସୁଧାର ଆଣିବା ଏବଂ ପ୍ରାରମ୍ଭିକ ବୟସରୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସକୁ ବୃଦ୍ଧି କରିବା ପାଇଁ ମୌଳିକ ଅଟେ।
ଏହି ଶୀର୍ଷକ ଅଧିନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରହିଛି ସ୍ୱାସ୍ଥ୍ୟକର ଏବଂ ବିବିଧ ବ୍ୟଞ୍ଜନ ପ୍ରଦର୍ଶନୀ, ପୋଷଣ ମେଳା, ‘ପ୍ରୋଟିନ୍-ଯୁକ୍ତ ଖାଦ୍ୟ’ ଅଭିଯାନ, ପୋଷଣ ବାଟିକା ଉତ୍ପାଦ ଏବଂ ସ୍ଥାନୀୟ ଖାଦ୍ୟର ପ୍ରଦର୍ଶନୀ।
୨. ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ତାଜା ଗରମ ରନ୍ଧା ଖାଦ୍ୟ (ଏଚସିଏମ): ହିତାଧିକାରୀମାନେ ଯେପରି ନିୟମିତ ଭାବରେ ତାଜା, ବିବିଧ ଏବଂ ପୌଷ୍ଟିକ ଗରମ ରନ୍ଧା ଖାଦ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ପୂରକ ପୋଷାହାର କାର୍ଯ୍ୟକ୍ରମର ଗୁଣବତ୍ତା, ଉପଯୋଗିତା ଏବଂ ପ୍ରଭାବକାରିତାରେ ସୁଧାର ଆଣିବା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ନିୟମିତ ଉପସ୍ଥିତିକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମିଲେଟ୍ସ (କ୍ଷୁଦ୍ର ଶସ୍ୟ), ଡାଲି ଏବଂ ଫଳ, ପନିପରିବା ସହିତ ସ୍ଥାନୀୟ ସ୍ତରରେ ମିଳୁଥିବା ସାମଗ୍ରୀରୁ ପ୍ରସ୍ତୁତ ତାଜା, ସ୍ୱଚ୍ଛ ଖାଦ୍ୟ ଉପରେ ଗୁରୁତ୍ୱାରୋପ କରିବା ଦ୍ୱାରା ଆହାରଗତ ବିବିଧତାର ମହତ୍ତ୍ୱ ସୁଦୃଢ଼ ହୁଏ ଏବଂ ପରିବାର ସ୍ତରରେ ସୁସ୍ଥ ଖାଦ୍ୟପେୟ ଅଭ୍ୟାସକୁ ଆପଣାଇବାରେ ସହାୟତା ମିଳିଥାଏ। ପୋଷଣ ମାସ ୨୦୨୬ ସାପ୍ତାହିକ ମେନୁ ପରିବର୍ତ୍ତନ, ସମୁଦାୟର ଭାଗୀଦାରୀ ଏବଂ ସୁଦୃଢ଼ ଗୁଣବତ୍ତା ନିଶ୍ଚିତକରଣ ବ୍ୟବସ୍ଥା ମାଧ୍ୟମରେ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଓ ଗ୍ରହଣଯୋଗ୍ୟତାକୁ ଅଧିକ ମଜବୁତ କରିବାର ସୁଯୋଗ ପ୍ରଦାନ କରେ।
ଏହା ମଧ୍ୟରେ ଆୟୋଜିତ ବିବିଧ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ସାପ୍ତାହିକ ମେନୁ ପରିବର୍ତ୍ତନ, ଗରମ ରନ୍ଧା ଖାଦ୍ୟ ପ୍ରଦର୍ଶନ, ମିଶନ୍-ମୋଡରେ ଗରମ ରନ୍ଧା ଖାଦ୍ୟ ଗୁଣବତ୍ତା ପରୀକ୍ଷଣ, ସମୁଦାୟ ଗରମ ରନ୍ଧା ଖାଦ୍ୟ ସ୍ୱାଦ ଯାଞ୍ଚ କାର୍ଯ୍ୟକ୍ରମ।
୩. ଜନ ସମୁଦାୟର ମାଲିକାନା ଏବଂ ଉତ୍ତରଦାୟିତ୍ୱ: ୨୩ ଜୁନ୍ ୨୦୨୬ରେ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିକଟରେ ଗଠିତ ଅଙ୍ଗନବାଡ଼ି ପରିଚାଳନା କମିଟି (AMC) ପୂରକ ପୋଷାହାର କାର୍ଯ୍ୟକ୍ରମ (SNP) ମଧ୍ୟରେ ଜନ ସମୁଦାୟର ମାଲିକାନା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ପାଇଁ ଏକ ସମୟୋପଯୋଗୀ ସୁଯୋଗ ପ୍ରଦାନ କରେ। ଅଙ୍ଗନବାଡ଼ି ସୁପରଭାଇଜରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଏଏମସିଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଭାଗୀଦାରୀ ନିରୀକ୍ଷଣକୁ ପ୍ରୋତ୍ସାହିତ କରିବା, ଲୋକମାନଙ୍କ ସଂପୃକ୍ତିକୁ ମଜବୁତ କରିବା ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ସେବା ଯୋଗାଣର ଗୁଣବତ୍ତା ଓ ପ୍ରଭାବକାରିତାରେ ସୁଧାର ଆଣିବା। ପୋଷଣ ମାସ ୨୦୨୬ ସଚେତନତା ସୃଷ୍ଟି, ହିତାଧିକାରୀ ସଂଗଠନ, ଏବଂ ପୋଷଣ ଓ ପ୍ରାରମ୍ଭିକ ଶୈଶବ ଯତ୍ନ ସେବାର ନିରୀକ୍ଷଣରେ ସକ୍ରିୟ ଭାଗୀଦାରୀକୁ ପ୍ରୋତ୍ସାହିତ କରି ଏହି କମିଟିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିପାରିବ।
ଏହି ବିଷୟ ଅଧିନରେ ହେବାକୁ ଥିବା କାର୍ଯ୍ୟକ୍ରମ ହେଲା ଅଙ୍ଗନବାଡ଼ି ପରିଚାଳନା କମିଟିକୁ ସକ୍ରିୟ କରିବା, ଏସଏନପି ମେନ୍ୟୁବୋର୍ଡ ପ୍ରଦର୍ଶନ ଓ ଖାଦ୍ୟଗୁଣବତ୍ତାର ସାମୁଦାୟିକ ତଦାରଖ।
୪. ଶୈଶବ ବିକାଶ ପାଇଁ ପୋଷଣ ଏବଂ ପ୍ରାରମ୍ଭିକ ସକ୍ରିୟତା: ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ECCE) ପାଇଁ ବୌଦ୍ଧିକ ବିକାଶ ଏବଂ ପର୍ଯ୍ୟାପ୍ତ ପୋଷଣ ମୌଳିକ ସ୍ତମ୍ଭ ବୋଲି ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀରେ ଦିଆଯାଇଥିବା ଦିଗ୍ଦର୍ଶନକୁ ପ୍ରତିଫଳିତ କରି ଏହି ବିଷୟ ଶିଶୁ କ’ଣ ଖାଏ ଏବଂ ଶିଶୁ କିପରି ଶିଖେ, ତାହା ମଧ୍ୟରେ ଥିବା ଅବିଚ୍ଛେଦ୍ୟ ସମ୍ପର୍କକୁ ଗୁରୁତ୍ୱ ଦିଏ।
ଏହି ବିଷୟ ଅଧିନରେ ହେବାକୁ ଥିବା କାର୍ଯ୍ୟକ୍ରମ ହେଲା ସଂଶୋଧିତ ଗୃହ ପରିଦର୍ଶନ ସୂଚୀ, ବିକାଶଜନିତ ବିଳମ୍ବ ଥିବା ଶିଶୁଙ୍କୁ ରେଫର୍ କରିବା ଏବଂ ଶିଶୁଙ୍କ ପ୍ରାରମ୍ଭିକ ବିକାଶ ଓ ସକ୍ରିୟତାରେ ପୋଷଣର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି।
୫. ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY): ମାତୃ ସ୍ୱାସ୍ଥ୍ୟ ପାଇଁ ନଗଦ ହସ୍ତାନ୍ତର: ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଭାରତର ପ୍ରମୁଖ ମାତୃତ୍ୱ କଲ୍ୟାଣକାରୀ କାର୍ଯ୍ୟକ୍ରମ ଭାବରେ ୧୦ ବର୍ଷ ପୂରଣ କରୁଛି। ଏହା ମାତୃ ପୋଷଣରେ ସହାୟତା କରେ, ସ୍ୱାସ୍ଥ୍ୟ ସେବା ଗ୍ରହଣ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରେ ଏବଂ ଗର୍ଭବତୀ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ପୋଷଣ ମାସ ୨୦୨୬ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହାର ପହଞ୍ଚ ବିସ୍ତାର କରିବା, ନାଗରିକ ସଚେତନତାକୁ ସୁଦୃଢ଼ କରିବା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ପ୍ରଗତିରେ ଗୋଟିଏ ଦଶନ୍ଧିର ସଫଳତାକୁ ପାଳନ କରିବାର ଏକ ସୁଯୋଗ ପ୍ରଦାନ କରେ।
ଏହି ବିଷୟ ଅଧିନରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ହେଲା ୧୦୦ ପ୍ରତିଶତ ପରିପୂର୍ଣ୍ଣତା ଅଭିଯାନ, ନାଗରିକ ସଚେତନତା ଅଭିଯାନ, ପିଏମଏମଭିଓ୍ବାଇ ଟୁଲକିଟ୍ ଉନ୍ମୋଚନ।
ଲୋକମାନଙ୍କ ଅଂଶଗ୍ରହଣ: ପୋଷଣ ଜନ-ଆନ୍ଦୋଳନ:
ପୋଷଣ ଅଭିଯାନର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ସରକାରୀ ସ୍ତରରେ ପରିଚାଳିତ ଏକ କାର୍ଯ୍ୟକ୍ରମ ପରିବର୍ତ୍ତେ ପୋଷଣର ସୁଧାରକୁ ଏକ “ଗଣ ଆନ୍ଦୋଳନ” ଭାବରେ ସ୍ଥାନିତ କରିବା। ଏହି ମିଶନ ସ୍ୱୀକାର କରେ ଯେ ଶିଶୁ ଆହାର ବ୍ୟବସ୍ଥା, ଆହାରଗତ ବିବିଧତା, ଗର୍ଭବତୀ କାଳୀନ ଯତ୍ନ, ହାତ ଧୋଇବା ସ୍ୱଚ୍ଛତା, ଏବଂ ସ୍ୱାସ୍ଥ୍ୟକେନ୍ଦ୍ରୀୟ ଚିକିତ୍ସା ସେବା ଗ୍ରହଣ କରିବା ଭଳି ଅଭ୍ୟାସରେ ସ୍ଥାୟୀ ବ୍ୟବହାରଗତ ପରିବର୍ତ୍ତନ କେବଳ ସମୁଦାୟର ସକ୍ରିୟ ମାଲିକାନା ଏବଂ ତୃଣମୂଳ ସ୍ତରର ଅଂଶଗ୍ରହଣ ଦ୍ୱାରା ହିଁ ସମ୍ଭବ ହୋଇପାରିବ। ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, ଆରୋଗ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରୁଥିବା ଅଭ୍ୟାସଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ “ପୋଷଣ ମାସ” ଏବଂ “ପୋଷଣ ପକ୍ଷ” ପ୍ରତିବର୍ଷ ନିର୍ଦ୍ଧାରିତ ମାସଗୁଡ଼ିକରେ ପାଳିତ ହୋଇଥାଏ।
ପୋଷଣ ପକ୍ଷ (ଏପ୍ରିଲ୍ ୨୦୨୬):
୨୦୧୮ ମସିହାରୁ ପ୍ରତିବର୍ଷ ପାଳିତ ହେଉଥିବା “ପୋଷଣ ପକ୍ଷ” ହେଉଛି ଏପ୍ରିଲ୍ ମାସରେ ଆୟୋଜିତ ଦୁଇ ସପ୍ତାହ ବ୍ୟାପୀ ଏକ ସକ୍ରିୟ ଜନସମ୍ପର୍କ ଅଭିଯାନ, ଯାହା ପୋଷଣ ଅଭିଯାନ ଅଧୀନରେ ଲୋକମାନଙ୍କୁ ଏକାଠି କରିବା ଏବଂ ପ୍ରମୁଖ ପୋଷଣ ସମ୍ବନ୍ଧୀୟ ବ୍ୟବହାରଗୁଡ଼ିକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରେ। ୨୦୨୬ ମସିହାରେ, ୮ମ ପୋଷଣ ପକ୍ଷ ଏପ୍ରିଲ୍ ୯ ରୁ ୨୩ , ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଓ ଏହାର ଶୀର୍ଷକ ଥିଲା ଜୀବନର ପ୍ରଥମ ଛଅ ବର୍ଷରେ ମସ୍ତିଷ୍କର ସର୍ବାଙ୍ଗୀନ ବିକାଶକୁ ତ୍ବରାନ୍ବିତ କରିବା।
୮ମ ରାଷ୍ଟ୍ରୀୟ ପୋଷଣ ମାସ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ଧାର୍ଠାରେ ୧୭ ସେପ୍ଟେମ୍ବର ୨୦୨୫ରେ ୮ମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ କରାଯାଇଥିଲା। ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” (SNSPA) ସହିତ ଏହାର ଶୁଭାରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଯୁଗ୍ମ ଭାବରେ କାର୍ଯ୍ୟକାରୀ ହୋଇଥିଲା। ୨୦୨୫ ରାଷ୍ଟ୍ରୀୟ ପୋଷଣ ମାସ ପୋଷଣ ସାକ୍ଷରତା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା। ଏହାର ପ୍ରମୁଖ ବିଷୟବସ୍ତୁ ମଧ୍ୟରେ ଥିଲା ମାତୃ ପୋଷଣ, ଶିଶୁ ଓ ଅଳ୍ପ ବୟସ୍କ ସନ୍ତାନଙ୍କ ଆହାର ବ୍ୟବସ୍ଥା (IYCF), ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ECCE) ଏବଂ ମେଦବହୁଳତା ଦୂର କରିବା ପାଇଁ ଚିନି ଓ ତେଲ ବ୍ୟବହାର ହ୍ରାସ କରିବା ଅନ୍ତର୍ଭୁକ୍ତ ଥିଲା। ୨୦ରୁ ଅଧିକ ମନ୍ତ୍ରଣାଳୟର ସହଯୋଗ ଓ ସମନ୍ୱୟରେ ଦେଶସାରା ମୋଟ ୧୪.୩୩ କୋଟି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପୋଷଣ ଟ୍ରାକର: ପୋଷଣ ପରିଚାଳନା ପାଇଁ ଡିଜିଟାଲ ପ୍ଲାଟଫର୍ମ
୧ ମାର୍ଚ୍ଚ ୨୦୨୧ରେ ଶୁଭାରମ୍ଭ କରାଯାଇଥିବା “ପୋଷଣ ଟ୍ରାକର୍” ତଦାରଖ ଭିତ୍ତିଭୂମି ଏବଂ ସେବା ଯୋଗାଣର ନିରୀକ୍ଷଣ ପାଇଁ ମୁଖ୍ୟ ପରିଚାଳନା ଉପକରଣ ଭାବରେ କାର୍ଯ୍ୟ କରେ। ଏହି ଆପ୍ଲିକେସନ୍ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଖୋଲିବା, ଶିଶୁମାନଙ୍କ ଦୈନନ୍ଦିନ ଉପସ୍ଥିତି, ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା (ECCE) କାର୍ଯ୍ୟକଳାପ ଏବଂ ବୃଦ୍ଧି ନିରୀକ୍ଷଣ ସହିତ ଅଙ୍ଗନବାଡ଼ି ସେବାଗୁଡ଼ିକର ତତ୍କାଳ ତଥ୍ୟ ସଂଗ୍ରହକୁ ସହଜ କରିଛି। ବର୍ତ୍ତମାନ, ଏହି ବ୍ୟବସ୍ଥା ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ କିଶୋରୀ ବାଳିକାମାନଙ୍କୁ ନେଇ ଗଠିତ ସମଗ୍ର ସମୁଦାୟର ନିରୀକ୍ଷଣ କରୁଛି।
୩୧ ଜୁଲାଇ ୨୦୨୬ ସୁଦ୍ଧା, ଭାରତର ପୋଷଣ ଭିତ୍ତିଭୂମି ପ୍ରାୟ ୧୩.୯୯ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରକୁ ବ୍ୟାପିଛି, ଯେଉଁଥିରେ ୧୩.୩୦ ଲକ୍ଷ ଅଙ୍ଗନବାଡ଼ି କର୍ମୀ ନିୟୋଜିତ ଅଛନ୍ତି। ଏହା ପ୍ରାୟ ୮.୯୪ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁଥିବା ଏକ ବିଶାଳ ତୃଣମୂଳ ନେଟୱାର୍କ ଗଠନ କରେ।
ଶିଶୁମାନେ ଏହି କାର୍ଯ୍ୟକ୍ରମର ପ୍ରମୁଖ କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ୬ ମାସରୁ ୬ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ୭.୨ କୋଟିରୁ ଅଧିକ, ଯାହା ପ୍ରାରମ୍ଭିକ ଶୈଶବର ପୋଷଣ ଓ ବିକାଶ ଉପରେ ଦିଆଯାଉଥିବା ଗୁରୁତ୍ୱକୁ ସ୍ପଷ୍ଟ କରୁଛି। ଏହି ମଧ୍ୟରେ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ସଂଖ୍ୟା ମିଶି ପ୍ରାୟ ୧.୧ କୋଟି ରହିଛି। ଏହା ମାତୃ ସ୍ୱାସ୍ଥ୍ୟ ପ୍ରତି ନିରନ୍ତର ଗୁରୁତ୍ୱକୁ ପ୍ରତିଫଳିତ କରୁଛି, ବିଶେଷକରି ଶିଶୁର ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ୧,୦୦୦ ଦିନ ସମୟରେ।
ସୁସ୍ଥ ପରିବାର ଓ ସୁସ୍ଥ ରାଷ୍ଟ୍ର ଦିଗରେ:
ପ୍ରଯୁକ୍ତିଭିତ୍ତିକ ରିଅଲ୍-ଟାଇମ୍ ଟ୍ରାକିଂ ବ୍ୟବସ୍ଥା ସହ ବ୍ୟାପକ ସମୁଦାୟ ସଚେତନତା ଅଭିଯାନକୁ ଏକତ୍ର କରି ରାଷ୍ଟ୍ରୀୟ ପୋଷଣ ମାସ, ପୋଷଣକୁ ଦେଶବ୍ୟାପୀ ଜନଆନ୍ଦୋଳନରେ ପରିଣତ କରିଛି। ମିଶନ ପୋଷଣ ୨.୦ର ଏକୀକୃତ ଢାଞ୍ଚା ଅଧୀନରେ ପରିଚାଳିତ ଏହି ବାର୍ଷିକ ଅଭିଯାନ ନିରନ୍ତର ଭାବେ ସେବା ପ୍ରଦାନରେ ଥିବା ଅଭାବକୁ ଦୂର କରିବା, ଖାଦ୍ୟରେ ବିବିଧତାକୁ ପ୍ରୋତ୍ସାହନ ଦେବା ଏବଂ ଶିଶୁର ଜୀବନର ପ୍ରାରମ୍ଭିକ ଗୁରୁତ୍ୱପୂର୍ଣ୍ଣ ବର୍ଷଗୁଡ଼ିକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରୁଛି। ଏହାର ଲକ୍ଷ୍ୟ ହେଉଛି ଏକ ଅଧିକ ସୁସ୍ଥ ଓ ଅପପୁଷ୍ଟିମୁକ୍ତ ଭାରତ ଗଠନ କରିବା।










