ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ବରିଷ୍ଠ ବିଜ୍ଞାନୀମାନଙ୍କ ସହ ଆଲୋଚନା କରିଥିଲେ। କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ୱପୂର୍ଣ୍ଣ ଖଣିଜ) ଏବଂ ଉନ୍ନତ ପ୍ରସେସିଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ପ୍ରତିନିଧି ଦଳ ସଂସ୍ଥାନର ଗବେଷଣାଗାର ସମେତ ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ପିଜିଏମ୍ ପାଇଲଟ ପ୍ଲାଣ୍ଟ ଏବଂ ସି-ବେଡ ମିନେରାଲ୍ସ ପାଇଲଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ଅଗ୍ରଗତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଯାଇଥିଲା। ଏନସିଏମଏମ ଅଧୀନରେ ସିଏସ୍ଆଇଆର-ଆଇଏମଏମଟି ଉତ୍କର୍ଷ କେନ୍ଦ୍ର ଏବଂ ବ୍ୟବସାୟ ବିକାଶ ଶାଖାର ମୁଖ୍ୟ ଡ. କାଳୀ ସଞ୍ଜୟ, ବିଭିନ୍ନ ଶିଳ୍ପ ଓ ଅନୁଷ୍ଠାନଗୁଡ଼ିକ ସହ ଅନୁଷ୍ଠାନର ସହଯୋଗିତା ଏବଂ ଅନୁଷ୍ଠାନର ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ କ୍ରିଟିକାଲ ମିନେରାଲ୍ସ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦୁର୍ଲଭ ମୃତ୍ତିକା କ୍ଷେତ୍ରରେ ସୁରକ୍ଷିତ ଓ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ଗଢ଼ିତୋଳିବା ପାଇଁ ଟ୍ରଷ୍ଟ (TRUST) ଏବଂ ପାକ୍ସ ସିଲିକା (Pax Silica) ପଦକ୍ଷେପ ଅଧୀନରେ ଥିବା ଦ୍ୱିପାକ୍ଷିକ ପ୍ରାଥମିକତାକୁ ଦୃଷ୍ଟିରେ ରଖି କନସୁଲ ଜେନେରାଲ ଲୋରା ୱିଲିୟମ୍ସ,ଏହି ପ୍ରତିଷ୍ଠାନ ଏବଂ ଆମେରିକାର ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ସହଯୋଗ ଏବଂ ସଂସ୍ଥାଗତ ସଂଯୋଗର ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ। ନିରନ୍ତର ବୈଜ୍ଞାନିକ ସହଯୋଗର ପ୍ରତିବଦ୍ଧତାକୁ ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ପରିସରରେ ବୃକ୍ଷରୋପଣ ଆୟୋଜନ କରାଯାଇଥିଲା।










