ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ନିକଟରେ ବଜ୍ରାପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଜିଲ୍ଲା ଅଣିଜୋ ଗାଁର ସାଗର ହୋଙ୍କ ପୁଅ ଚମାର ହୋ । ଆଜି ସଂନ୍ଧ୍ୟାରେ ଯୁବକ ଜଣକ ଏକ ବାଇକରେ କୌଣସି ଏକ କାମରେ ଯାଉଥିଲେ । ହଠାତ ରଘୁନାଥପୁର ଗାଁ ନିକଟରେ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ସହିତ ଘଡଘଡି ମାରିବାରୁ ସେ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଠିକ୍ ସେହି ସ୍ଥାନରେ ବଜ୍ରାପାତ ହେବାରୁ ଚମାର ସଂଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ବଜ୍ରପାତରେ ଆମ୍ବ ଗଛଟି ମଧ୍ୟ ଫାଟିଯାଇଥିବା ଦେଖିବାକୁ ମିଳିଛି । ବର୍ଷା ଛାଡିବା ପରେ ସେହି ବାଟଦେଇ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।










