ପାଟନା: ବିହାରରେ ବନ୍ୟା ପରସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ୧୧ଟି ଜିଲାର ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ବିହାରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଥିବାରୁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟର ୨୦୧ ଗ୍ରାମପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘରଦ୍ବାର, ରାସ୍ତାଘାଟ, ଚାଷଜମିରେ ପାଣି ପଶିଥିବା ବେଳେ ଲୋକମାନେ ହଇରାଣ ହରକତ ହେଉଛନ୍ତି। ପାଟନା, ଭୋଜପୁର, ସରନ, ବୈଶାଳୀ, ଭଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କାଠିହାର, ଆରାରିୟା ଆଦି ଜିଲା ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ପାଟନାର ଗଙ୍ଗାଘାଟ ନିକଟରେ ଶନିବାର ଗଙ୍ଗାନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ତଳୁଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଦୁମୁରିଘାଟ ଓ ହାଜିପୁରରେ ଗଣ୍ଡକ, ବାଲତାରାରେ କୋଶୀ, ଖାଗାରିୟାରେ ବୁରି, ବକ୍ସର, ମୁଙ୍ଗେର, ଭାଗଲପୁର ଆଦି ସ୍ଥାନରେ ଗଙ୍ଗା ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏସବୁ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। ବିହାର ସମେତ ପଡୋଶୀ ନେପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଚଳିତମାସରେ ବର୍ତ୍ତମାନ ସୁଦ୍ଧା ବିହାରରେ ୬୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବେଗୁସରାଇର ମାଟିଆଣୀ ବ୍ଲକରେ ଘରଗୁଡ଼ିକ ମଧ୍ୟରେ ବନ୍ୟାଜଳ ପ୍ରବେଶ କରିଛି। ସେହିପରି ବାଲହାପୁର ଓ କୋହରମପୁର ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଥିବାରୁ ଗମନାଗମନରେ ବାଧା ସୃଷ୍ଟି ହୋଇଛି।










