ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶାଜାପୁରରେ ଜାତୀୟ ରାଜପଥ-୫୨ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯାତ୍ରୀବାହୀ ବସଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଯାତ୍ରୀମାନଙ୍କୁ ନେଇ ଯାଉଥିବା ବସଟି ସିରୋଞ୍ଜରୁ ଇନ୍ଦୋର ଅଭିମୁଖେ ଯାଉଥିଲା । ବସରେ ୪୦ ଜଣ ଯାତ୍ରୀ ଥିଲେ । ରାତି ପ୍ରାୟ ୩ଟା ୩୦ମିନିଟରେ ଦ୍ରୁତଗାମୀ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇ ଏକ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଲା । ଘଟଣା ବିଷୟରେ ସୂଚନା ପାଇ ତୁରନ୍ତ ୧୧୨ ଏବଂ ୧୦୮ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ୨୯ ଆହତଙ୍କୁ ତୁରନ୍ତ ଆମ୍ବୁଲାକ୍ସ ଯୋଗେ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ଆହତ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନିରୀକ୍ଷଣରେ ରଖାଯାଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରିଛି । ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର ପାରିପାର୍ଶିକ ପରିସ୍ଥିତିର ତଦନ୍ତ ମଧ୍ୟ ଆରମ୍ଭ କରିଛି ।










