ମସ୍କୋ: ହଠାତ୍ ୟୁକ୍ରେନ୍ ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶନିବାରଠାରୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କିଭ୍ ଉପରେ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆମେରିକାର ବିଶେଷ ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନେର୍ ରୁଷ ଗସ୍ତରେ ଥିବା ବେଳେ ପୁଟିନଙ୍କ ଏହି ନିର୍ଦ୍ଦେଶକୁ ନେଇ ଚର୍ଚ୍ଚା ବଢ଼ିଛି।କ୍ରେମଲିନ୍ ମୁଖପାତ୍ର ଡିମିତ୍ରି ପେସ୍କଭ୍ କହିଛନ୍ତି ଯେ, ପୁଟିନ୍ ଶନିବାର ଆମେରିକାର ଦୁଇ ପ୍ରତିନିଧିଙ୍କ ସହ ବୈଠକ କରିବେ। ଏହି ଆଲୋଚନା ପୂର୍ବରୁ କିଭ୍ ଉପରେ ୩ ଦିନ ପାଇଁ ଆକ୍ରମଣ ବନ୍ଦ ରଖିବାକୁ ରୁଷ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।ବର୍ତ୍ତମାନ ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଆମେରିକା କୂଟନୈତିକ ଉଦ୍ୟମ ଚଳାଇଥିବା ବେଳେ ୱିଟକଫ୍ ଓ କୁଶନେର୍ ଶନିବାର ମସ୍କୋରେ ପହଞ୍ଚିଛନ୍ତି। ସେମାନେ ପୁଟିନଙ୍କ ସହ ଯୁଦ୍ଧର ସ୍ଥିତି ଓ ଏହାର ସମ୍ଭାବ୍ୟ ସମାଧାନ ନେଇ ବିସ୍ତୃତ ଆଲୋଚନା କରିବେ। ଆମେରିକୀୟ ପ୍ରତିନିଧିମାନେ ମସ୍କୋରେ ପହଞ୍ଚିବା ପରେ ରୁଷ ରାଷ୍ଟ୍ରପତିଙ୍କ କୂଟନୈତିକ ପ୍ରତିନିଧି କିରିଲ୍ ଡିମିତ୍ରିଭ୍ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ସେମାନଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ଡିମିତ୍ରିଭ୍ ବିମାନବନ୍ଦର ଛାଡ଼ିଥିଲେ।
ଏହାପୂର୍ବରୁ ପୁଟିନ୍ ଓ ଆମେରିକୀୟ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମଧ୍ୟ ଡିମିତ୍ରିଭ୍ ଉପସ୍ଥିତ ଥିଲେ। ଆମେରିକା ପକ୍ଷରୁ ଆଲୋଚନା ଟିମ୍ରେ ଥିବା ସଦସ୍ୟମାନଙ୍କ ସହ ମଧ୍ୟ ସେ ନିୟମିତ ଯୋଗାଯୋଗରେ ରହୁଥିଲେ। ଏବେ ମସ୍କୋରେ ପହଞ୍ଚିଥିବା ଆମେରିକୀୟ ପ୍ରତିନିଧିଙ୍କୁ ସେ ପ୍ରଥମେ ଭେଟିଛନ୍ତି। ଏହାପରେ ପୁଟିନ୍ ସେମାନଙ୍କ ସହ ଆଲୋଚନା କରିବେ।ଏପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶୁକ୍ରବାର କହିଥିଲେ ଯେ, ରୁଷ-ୟୁକ୍ରେନ୍ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ୱାଶିଂଟନ୍ ପାଖରେ ଏକ ନୂଆ ପ୍ରସ୍ତାବ ରହିଛି। ତେବେ ଏହି ପ୍ରସ୍ତାବ ସମ୍ପର୍କରେ ସେ ବିସ୍ତୃତ ତଥ୍ୟ ଦେଇନଥିଲେ। ଆଲୋଚନା କେତେଦୂର ଆଗକୁ ବଢ଼ିପାରିବ, ତାହା ଜାଣିବା ପାଇଁ ୱିଟକଫ୍ ଓ କୁଶନେର୍ଙ୍କୁ ବିଭିନ୍ନ ଦେଶକୁ ପଠାଯାଇଥିବା ଟ୍ରମ୍ପ୍ କହିଥିଲେ। ଅନ୍ୟପକ୍ଷରେ, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି କହିଛନ୍ତି ଯେ, ମସ୍କୋରେ ଆଲୋଚନା ଶେଷ କରିବା ପରେ ଆମେରିକୀୟ ପ୍ରତିନିଧିମାନେ କିଭ୍ ଆସିବାର ଆଶା ରହିଛି। ଏହି ଗସ୍ତକୁ ଦୃଷ୍ଟିରେ ରଖି ପୁଟିନ୍ ୩ ଦିନ ପାଇଁ କିଭ୍ ଉପରେ ଆକ୍ରମଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି।ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକାର ମଧ୍ୟସ୍ଥତା ଉଦ୍ୟମ ମଧ୍ୟରେ ପୁଟିନଙ୍କ ଏହି ତିନିଦିନିଆ ଆକ୍ରମଣ ବିରତି ଆଗାମୀ ଆଲୋଚନା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।










