‘ଜାତୀୟ ସ୍ୱାର୍ଥ’ ନାମରେ ଓଡ଼ିଶାକୁ ନିଜ ଖଣିଜ ସମ୍ପଦରୁ ବଞ୍ଚିତ କରି ରାଜ୍ୟର ଜେନ୍ ଜି, ଜେନ୍ ଆଲ୍ଫାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇ ପାରିବ ନାହିଁ
ଓଡ଼ିଶା ଦେଶ ପାଇଁ ବଳିଦାନ ଦେଇଛି; ଓଡ଼ିଶାର ସାମ୍ୱିଧାନିକ ଅଧିକାରକୁ ଛଡାଇ ନିଆନଯାଉ
ବିପର୍ଯ୍ୟୟର ପ୍ରବଣ ଓଡ଼ିଶା, ଏହାର ମୁକାବିଲା ପାଇଁ ଖଣିଜ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ଖଣି ଟିକସ ବକେୟା ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ ବୋଲି ଏଜିଙ୍କ ଯୁକ୍ତି ଉପରେ ରାଜ୍ୟ ସରକାର ନୀରବ କାହିଁକି?
ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ସଂଶୋଧନକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ‘ଜାତୀୟ ସ୍ୱାର୍ଥ’ ନାମରେ ଓଡ଼ିଶାର ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।
ଡ. ସାମନ୍ତସିଂହାର କହିଥିଲେ ଯେ, ଓଡ଼ିଶା ସବୁବେଳେ ଦେଶ ପାଇଁ ଠିଆ ହୋଇଛି ଏବଂ ଦେଶ ପାଇଁ ଓଡ଼ିଶାର ଲୋକମାନେ ଅନେକ ବଳିଦାନ ଦେଇଛନ୍ତି । ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାର ଖଣିଜ ସମ୍ପଦ ଭାରତର ଶିଳ୍ପ ଓ ଆର୍ଥିକ ପ୍ରଗତିକୁ ଶକ୍ତି ଯୋଗାଇ ଆସିଛି । ଜାତୀୟ ସ୍ୱାର୍ଥ ନାମରେ ଓଡ଼ିଶାର ସାମ୍ବିଧାନିକ ଅଧିକାରକୁ କେନ୍ଦ୍ରର ବିଜେପି ସରକାର ଛଡ଼ାଇ ନେଇପାରିବ ନାହିଁ । ଏହି ଅଧିକାର ସମ୍ବିଧାନ ଦ୍ୱାରା ନିଶ୍ଚିତ ହୋଇଛି । ଏହା କେନ୍ଦ୍ର ସରକାର କିମ୍ବା କୌଣସି ରାଜନୈତିକ ଦଳର ଦାନ ନୁହେଁ । ଓଡ଼ିଶା ପ୍ରତିବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏହା ସତ୍ତ୍ୱେ ରାଜ୍ୟର ଦୀର୍ଘଦିନର ସ୍ୱତନ୍ତ୍ର ବର୍ଗ ରାଜ୍ୟ ମାନ୍ୟତା ଦାବି କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି । ଯେତେବେଳେ ଓଡ଼ିଶା ନିଜର ବିକାଶ ଓ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଁ ଅଧିକ ସମ୍ବଳ ଆବଶ୍ୟକ କରୁଛି, ସେତେବେଳେ ରାଜ୍ୟର ଖଣିଜ ସମ୍ପଦର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ନିଜ ଲୋକଙ୍କ ସଶକ୍ତିକରଣ ପାଇଁ ନିଜ ସମ୍ପଦରୁ ସମ୍ୱଳ ଯୋଗାଡ଼ କରିବାର ଅଧିକାରରୁ ଓଡ଼ିଶାକୁ ବଞ୍ଚିତ କରାଯାଇପାରିବ ନାହିଁ । ଖଣିଜ ସମ୍ପଦ ସୀମିତ ଏବଂ ଏହାର ପୁନଃସୃଷ୍ଟି ସମ୍ଭବ ନୁହେଁ । ଆଉ ୨୦ କିମ୍ବା ୩୦ ବର୍ଷ ଖଣିଜ ଉତ୍ତୋଳନ ଚାଲିଲେ ଆମର ଅନେକ ଖଣିଜ ସମ୍ପଦ ଶେଷ ହୋଇଯାଇପାରେ । ଆମ ଭବିଷ୍ୟତ ପିଢ଼ି ପାଇଁ କ’ଣ ବାକି ରହିବ? ଓଡ଼ିଶାର ନୂତନ ପିଢ଼ି ଓ ଆଗାମୀ ପିଢ଼ି ଯଥା, ଜେନ୍-ଜି ଓ ଜେନ୍-ଆଲ୍ଫାଙ୍କର ଭବିଷ୍ୟତ ପାଇଁ କେନ୍ଦ୍ର ସରକାର କ’ଣ ଗ୍ୟାରେଣ୍ଟି ଦେଇପାରିବେ ବୋଲି ଡ଼ ସାମନ୍ତସିଂହାର ପ୍ରଶ୍ନ କରିଥିଲେ ।
ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଏହି ପ୍ରସଙ୍ଗ କେବଳ ଆଜିର ରାଜସ୍ୱ ସମ୍ପର୍କିତ ନୁହେଁ ବରଂ ପିଢ଼ିଗତ ନ୍ୟାୟ ଓ ଓଡ଼ିଶାର ଭବିଷ୍ୟତ ଆର୍ଥିକ ସୁରକ୍ଷା ସହ ଜଡ଼ିତ । ଖଣିଜ ସମ୍ପଦର ଅତ୍ୟଧିକ ଉତ୍ତୋଳନ କରି ଆଗାମୀ ପିଢ଼ିକୁ ଖଣିଜବିହୀନ ଭବିଷ୍ୟତ ଦେବାକୁ ଓଡ଼ିଶା କେବେ ସ୍ୱୀକାର କରିପାରିବ ନାହିଁ । ଓଡ଼ିଶାର ବିଜେପି ସାଂସଦମାନଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି, ଯଦି କେନ୍ଦ୍ରରେ ଅଣ ବିଜେପି ସରକାର ଥାଆନ୍ତା ଏବଂ ସେହି ସରକାର “ଜାତୀୟ ସ୍ୱାର୍ଥ’ ନାମରେ ଏହି ଖଣି ଓ ଖଣିଜ ଆଇନରେ ପରିବର୍ତ୍ତନ ଆଣିଥାଆନ୍ତା, ତେବେ ଓଡ଼ିଶାର ବିଜେପି ସାଂସଦ ମାନେ ଏଭଳି ନିରବ ରହିଥାଆନ୍ତେ କି? ସାଂସଦମାନେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ନିର୍ବାଚିତ ହୋଇଛନ୍ତି ଏବଂ ରାଜ୍ୟର ସାମ୍ବିଧାନିକ ଓ ଆର୍ଥିକ ସ୍ୱାର୍ଥ ବିପଦରେ ଥିବାବେଳେ ସେମାନେ ନିରବ ରହିବା ନିନ୍ଦନୀୟ । ଦଳୀୟ ସ୍ୱାର୍ଥ ପାଇଁ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇ ପାରିବ ନାହିଁ ।
ରାଜ୍ୟର ଆଡଭୋକେଟ୍ ଜେନେରାଲ ଶ୍ରୀ ପିତାମ୍ୱର ଆଚାର୍ଯ୍ୟଙ୍କ ଦ୍ୱାରା ସୁପି୍ରମକୋର୍ଟରେ ପ୍ରସ୍ତାବିତ ଦାଖଲ କରାଯାଇଥିବା ଏକ ଶପଥପତ୍ର ମାଧ୍ୟମରେ କହିଥିଲେ, ଖଣି ଟିକସ ବକେୟା ନ ମିଳିଲେ ଓଡ଼ିଶା ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହେବ । ଯଦି ଆଡଭୋକେଟ୍ ଜେନେରାଲ ଅଦାଲତଙ୍କ ସମ୍ମୁଖରେ ଓଡ଼ିଶା ହଜାର ହଜାର କୋଟି ଟଙ୍କାର କ୍ଷତି ସହିପାରେ ବୋଲି ଉଲ୍ଲେଖ କରିଥିଲେ, ତେବେ ଆଜି ରାଜ୍ୟ ସରକାର କେଉଁ ମୁହଁରେ ରାଜ୍ୟର କ୍ଷତି ହେବ ନାହିଁ ବୋଲି ଯୁକ୍ତି ବାଢୁଛନ୍ତି ? ଓଡ଼ିଶାବାସୀ ଏହାର ସ୍ପଷ୍ଟ ଉତ୍ତର ପାଇବାକୁ ହକ୍ଦାର । କେନ୍ଦ୍ର ଓ ରାଜ୍ୟ ସରକାର ଖଣି ଓ ଖଣିଜ ଆଇନର ପ୍ରସ୍ତାବିତ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଭାବରେ ବ୍ୟାଖ୍ୟା ଦିଅନ୍ତୁ ଏବଂ ଓଡ଼ିଶାର ସାମ୍ବିଧାନିକ ଅଧିକାର, ଆର୍ଥିକ ସ୍ୱାର୍ଥ ଓ ଭବିଷ୍ୟତ ପିଢ଼ିର ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିବା ନିଶ୍ଚିତ କରନ୍ତୁ । ଦେଶ ଗଢ଼ିବା ପାଇଁ ଓଡ଼ିଶା ନିଜର ଖଣିଜ ସମ୍ପଦ ଦେଇଆସିଛି । ଓଡ଼ିଶା ଆଗକୁ ମଧ୍ୟ ଭାରତ ସହ ଦୃଢ଼ ଭାବେ ଠିଆ ହେବ, କିନ୍ତୁ “ଜାତୀୟ ସ୍ୱାର୍ଥ’ ନାମରେ ଓଡ଼ିଶାକୁ ନିଜ ଭବିଷ୍ୟତକୁ ବଳିଦାନ ଦେବାକୁ କୁହାଯାଇପାରିବ ନାହିଁ ବୋଲି ଡ଼ ସାମନ୍ତସିଂହାର କହିଥିଲେ ।










