ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ‘କକରୋଚ୍ ମୁଭମେଣ୍ଟ’ ସମୟରେ ଦିଲ୍ଲୀ ସମେତ ୪ଟି ରାଜ୍ୟରେ ଛାତ୍ରମାନଙ୍କ ବିରୋଧରେ ରୁଜୁ ହୋଇଥିବା ମୋଟ ୧୨୯ଟି ଏଫଆଇଆରକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖରେ ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ସମ୍ବିଧାନର ଅନୁଚ୍ଛେଦ ୧୪୨ ପ୍ରୟୋଗ କରି ଏହି ମାମଲାଗୁଡ଼ିକୁ ରଦ୍ଦ କରିଛନ୍ତି।ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରାୟ ଶୁଣାଇ କହିଛନ୍ତି ଯେ, ଏହି ଏଫଆଇଆରଗୁଡ଼ିକ ଏବେ ଇତିହାସ। ଏହା ଉପରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଜୁଲାଇ ୨୫ ତାରିଖରେ ସରକାର ‘କକରୋଚ୍ ଜନତା ପାର୍ଟି’ ସହ ଏକ ପ୍ରତିଶ୍ରୁତି ଦେଇଥିଲେ। ଯଦି ଆନ୍ଦୋଳନ ପ୍ରତ୍ୟାହାର କରାଯାଏ, ତେବେ ଛାତ୍ରମାନଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ଫେରାଇ ନିଆଯିବ ବୋଲି ସରକାର କହିଥିଲେ। ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଛାତ୍ରମାନଙ୍କ ପ୍ରଦର୍ଶନ ସମ୍ପର୍କିତ ଯଦି ଅନ୍ୟ କୌଣସି ରାଜ୍ୟରେ ମଧ୍ୟ ମାମଲା ରହିଛି, ତେବେ ସେଗୁଡ଼ିକର ତଦନ୍ତକୁ ଆଗକୁ ବଢ଼ାଯିବା ଉଚିତ ନୁହେଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।










