ମୟୂରଭଞ୍ଜ: ବନ୍ୟା ପରେ ମୟୂରଭଞ୍ଜରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଧୋଇଯାଇଥିବା ରାସ୍ତା, ଭାଙ୍ଗିଥିବା ପୋଲ ଓ କ୍ଷତିଗ୍ରସ୍ତ ଘର ବୁଲି ଦେଖିଲେ ନେତା; ବନ୍ୟା ପ୍ରଭାବିତଙ୍କ ସହ କଲେ ଆଲୋଚନା । ବନ୍ୟା ପରେ ମୟୂରଭଞ୍ଜ ବଡ଼ସାହି ନିର୍ବାଚନ ମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛି ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ଟିମ୍ । ବୁଢ଼ାବଳଙ୍ଗ ଓ ଗଂଗାହାର ନଦୀର ବନ୍ୟାରେ ପ୍ରଭାବିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତିର ଚିତ୍ର ଅନୁଧ୍ୟାନ କରିଛନ୍ତି ଟିମର ସଦସ୍ୟମାନେ ।ବନ୍ୟା ପରେ ଜନଜୀବନ କିପରି ପ୍ରଭାବିତ ହୋଇଛି, ଲୋକଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ପ୍ରଭାବିତଙ୍କଠାରୁ ସିଧାସଳଖ ତଥ୍ୟ ସଂଗ୍ରହ କରିଥିଲେ । ବିଶେଷ କରି ବଡ଼ସାହି ବ୍ଲକର ଶାଳଗାଁ, ମନୋଗୋବିନ୍ଦପୁର, ମାଣତ୍ରୀ ଏବଂ ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତ ଅଧୀନ ନଦୀ ପାର୍ଶ୍ୱବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଟିମ୍ ପରିଦର୍ଶନ କରିଥିଲା ।










