ସମ୍ବଲପୁର: ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଉଥିବା ବନ୍ୟାଜଳ ଏବେ କଟକ ମୁଣ୍ଡଳୀରେ ପହଞ୍ଚିଛି । ମୁଣ୍ଡଳୀ ଦେଇ ପ୍ରତି ସେକେଣ୍ଡରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଏହି ପାଣି ମୁଣ୍ଡଳୀରେ ପହଞ୍ଚିବା ପରେ ମହାନଦୀର ତଳମୁଣ୍ଡରେ ମଧ୍ୟ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ସେପଟେ କଟକ ଜିଲ୍ଲାର ବଡ଼ମ୍ବା ଅଞ୍ଚଳରେ ମଧ୍ୟ ବନ୍ୟାଜଳର ପ୍ରଭାବ ଦେଖିବାକୁ ମିଳିଛି ।ଭଟ୍ଟାରିକା ମନ୍ଦିର ବେଢ଼ାରେ ବନ୍ୟାଜଳ ପଶିଥିବା ଜଣାପଡ଼ିଛି । ମନ୍ଦିର ପରିସରରେ ପାଣି ପଶିବା ପରେ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ମୁଣ୍ଡଳୀରେ ବଢ଼ୁଥିବା ଜଳପ୍ରବାହକୁ ନଜରରେ ରଖି ତଳମୁଣ୍ଡରେ ଥିବା ଅଞ୍ଚଳଗୁଡ଼ିକରେ ସତର୍କତା ବଢ଼ାଯାଇଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀ ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।










