ନୂଆଦିଲ୍ଲୀ: ଚିନି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଆଗାମୀ ୭ ଦିନ ମଧ୍ୟରେ ଚିନି ଦାମ କମିପାରେ ବୋଲି କହିଛି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ ବା ISMA । ଗତ କିଛି ଦିନ ହେବ ଦେଶର ବିଭିନ୍ନ ବଜାରରେ ଚିନି ଦର ବଢ଼ିବାରେ ଲାଗିଛି । କିଛି ସ୍ଥାନରେ ଖୁଚୁରା ବଜାରରେ ଚିନି କିଲୋପ୍ରତି ପ୍ରାୟ ୫୫ରୁ ୫୬ ଟଙ୍କାରେ ପହଞ୍ଚିଥିବାରୁ ଗ୍ରାହକଙ୍କ ଚିନ୍ତା ବଢ଼ିଛି । ତେବେ ଦେଶରେ ଚିନିର ପ୍ରକୃତ ଅଭାବ ନଥିବା ସ୍ପଷ୍ଟ କରିଛି ISMA । ସଂଗଠନ ପକ୍ଷରୁ କୁହାଯାଇଛି ଯେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ରହିଛି । ତେଣୁ ଚିନି ଅଭାବ ଯୋଗୁ ଦାମ ବଢ଼ିଥିବା କହିବା ଠିକ୍ ନୁହେଁ । ବଜାରରେ ଚାହିଦା ଓ ଯୋଗାଣକୁ ନେଇ ସୃଷ୍ଟି ହୋଇଥିବା ଚାପ ଏବଂ କିଛି ପରିମାଣରେ ଅତିରିକ୍ତ କ୍ରୟ ଯୋଗୁ ଦାମ ବଢ଼ିଥିବା କୁହାଯାଇଛି । ଆଗାମୀ ଦିନରେ ବଜାରକୁ ଚିନିର ଯୋଗାଣ ବଢ଼ିଲେ ଦାମରେ ସ୍ୱାଭାବିକ ଭାବେ ହ୍ରାସ ଆସିବ ବୋଲି ISMA ଆଶା ପ୍ରକାଶ କରିଛି। ଏପରିକି ଆସନ୍ତା ୭ ଦିନ ମଧ୍ୟରେ ଚିନି ଦର କମିବା ଆରମ୍ଭ ହୋଇପାରେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଚିନି ଚାହିଦା ବଢ଼ିବାର ସମ୍ଭାବନା ରହିଛି। ତେବେ ଏଥିପାଇଁ ଗ୍ରାହକଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କାରଣ ଦେଶରେ ଚିନିର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି ବୋଲି ଶିଳ୍ପ ସଂଗଠନ ଆଶ୍ୱାସନ ଦେଇଛି । ଅର୍ଥାତ୍, ଏବେ ଚିନି କିଣିବା ବେଳେ ଗ୍ରାହକଙ୍କୁ ଅଧିକ ଦାମ ଦେବାକୁ ପଡ଼ୁଥିଲେ ମଧ୍ୟ ଆଗାମୀ ଏକ ସପ୍ତାହ ମଧ୍ୟରେ ଦାମ କମିବାର ଆଶା ରହିଛି ।










