ନୂଆଦିଲ୍ଲୀ: ସରକାର ଗତ ଜୁଲାଇ ୨୫ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ କରି କକ୍ରୋଚ୍ ଜନତା ପାର୍ଟି (ସିଜେପି) ଆସନ୍ତା ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବ ବୋଲି ଘୋଷଣା କରିଛି। ଇଣ୍ଡିଆ ଗେଟ୍ରୁ ନୂଆଦିଲ୍ଲୀ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ। ମୃତ ନିଟ୍ ପରୀକ୍ଷାର୍ଥୀଙ୍କ ପରିବାର ଏବଂ ଜୁଲାଇ ୨୦ର ‘ସଂସଦ ଚଲୋ’ ପଦଯାତ୍ରା ସମୟରେ ପୁଲିସ ଅତ୍ୟାଚାରର ଶିକାର ହୋଇଥିବା ବ୍ୟକ୍ତିମାନେ ଏହାର ନେତୃତ୍ୱ ନେବେ। ଦେଶର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଏଥିରେ ସାମିଲ ହେବେ ବୋଲି ଦଳ କହିଛି।ସୋମବାର ଅପରାହ୍ଣ ୨ଟାରେ ଅନୁଷ୍ଠିତ ସିଜେପିର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ପଦଯାତ୍ରା ନେଇ ନିଷ୍ପତ୍ତି ହୋଇଥିଲା। ଦଳର ଅଭିଯୋଗ ଅନୁସାରେ, ଆନ୍ଦୋଳନରୁ ଓହରିବା ପାଇଁ ଜୁଲାଇ ୨୫ରେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା କାର୍ଯ୍ୟକାରୀ କରାଯାଇନାହିଁ। ପ୍ରତିଶ୍ରୁତି ପୂରଣ ବଦଳରେ ବିଭିନ୍ନ ବୈଷୟିକ କାରଣ ଦର୍ଶାଇ ସରକାର ବିଳମ୍ବ କରୁଥିବା ସିଜେପି ଅଭିଯୋଗ କରିଛି। ଦେଶର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ଏତଲାଗୁଡ଼ିକର ତାଲିକା ଦେବା ନେଇ ସରକାର ସ୍ପଷ୍ଟ ପ୍ରତିଶ୍ରୁତି ଦେଉ ନ ଥିବା ଦଳ କହିଛି।
ଅଗଷ୍ଟ ୧୮ରେ ସୁପ୍ରିମ୍କୋର୍ଟ ଏହି ଏତଲାଗୁଡ଼ିକର ତାଲିକା ଦେବାକୁ କେନ୍ଦ୍ରକୁ କହିଥିଲେ, ଯାହା ଆଧାରରେ ସେଗୁଡ଼ିକୁ ଏକାଠି ରଦ୍ଦ କରିବା ନେଇ କୋର୍ଟ ବିଚାର କରିପାରିବେ। ଏହା ସତ୍ତ୍ୱେ ସରକାର ଏନେଇ ପ୍ରତିଶ୍ରୁତି ଦେବାରୁ ଦୂରେଇ ରହୁଥିବା ସିଜେପି କହିଛି। ଦଳକୁ ଦିଆଯିବାକୁ ଥିବା ଲିଖିତ ଆଶ୍ୱାସନ ମଧ୍ୟ ଏପର୍ଯ୍ୟନ୍ତ ମିଳିନଥିବା ସିଜେପି ଅଭିଯୋଗ କରିଛି। ଏହା ଯୁବପିଢ଼ି ଓ ନିଜ ସନ୍ତାନଙ୍କୁ ହରାଇଥିବା ପରିବାରଗୁଡ଼ିକ ପ୍ରତି ବିଶ୍ୱାସଘାତ ସଦୃଶ ବୋଲି ଦଳ କହିଛି। ସରକାର ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସିଜେପି ଚେତାବନୀ ଦେଇଛି।










