ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀରୁ ଆସିଛି ଏକ ହୃଦୟ ବିଦାରକ ଖବର । ହସ୍ପିଟାଲର ନିଓନାଟାଲ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ବା NICUରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳି ୩ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୬ ଜଣ ଗୁରୁତର ଶିଶୁଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର ତୃତୀୟ ମହଲାରେ ଥିବା NICUରେ ସୋମବାର ଭୋର ପ୍ରାୟ ସାଢ଼େ ୩ଟା ବେଳେ ହଠାତ୍ ନିଆଁ ଲାଗିଥିଲା । ପ୍ରାଥମିକ ସୂଚନା ଅନୁସାରେ, ଏକ ଭେଣ୍ଟିଲେଟରରେ ଅପ୍ରତ୍ୟାଶିତ ବିସ୍ଫୋରଣ କିମ୍ବା ଶର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।ଘଟଣା ସମୟରେ NICUରେ ୩୯ ଜଣ ନବଜାତ ଶିଶୁ ଚିକିତ୍ସିତ ହେଉଥିଲେ । ହଠାତ୍ ନିଆଁ ଓ ଧୂଆଁ ବ୍ୟାପିବା ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଥିଲା । ତେବେ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶିଶୁମାନଙ୍କୁ NICUରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ହେଲେ ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩ ଜଣ ନବଜାତ ଶିଶୁ ଗୁରୁତର ଭାବେ ଜଳିଯାଇଥିଲେ। ଚିକିତ୍ସା ପୂର୍ବରୁ ହିଁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଅନ୍ୟପଟେ, ୬ ଜଣ ଗୁରୁତର ଶିଶୁଙ୍କୁ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କର ଚିକିତ୍ସା ଜାରି ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ, ତାହା ନେଇ ତଦନ୍ତ ଆରମ୍ଭ ହେବା ସହ ଭେଣ୍ଟିଲେଟରରେ ତ୍ରୁଟି ନା ଶର୍ଟ ସର୍କିଟ୍—ନିଆଁର ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହେବାକୁ ଅପେକ୍ଷା ରହିଛି ।










