ନୂଆଦିଲ୍ଲୀ: ଚିନି ଦର ବୃଦ୍ଧିକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଚିନି ଉତ୍ପାଦନ କମିବା ପଛରେ ରେଡ୍ ରଟ୍ ରୋଗ ଏବଂ ଏଲ୍ ନିନୋ ପ୍ରଭାବ ରହିଥିବା ସେ କହିଛନ୍ତି । ଏହାର ପ୍ରଭାବ କେବଳ ଭାରତ ନୁହେଁ, ବିଶ୍ୱର କୃଷି ଉତ୍ପାଦନ ଉପରେ ମଧ୍ୟ ପଡ଼ିଛି ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଦେଶରେ ଚିନିର ବାର୍ଷିକ ଆବଶ୍ୟକତା ପ୍ରାୟ ୨୮୦ ଲକ୍ଷ ଟନ୍ ରହିଛି । ଏହା ବିପକ୍ଷରେ ଦେଶରେ ୨୦ରୁ ୨୫ ଲକ୍ଷ ଟନ୍ରୁ ଅଧିକ ଚିନି ମହଜୁଦ ଥିବା ନେଇ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ତେବେ ଗତ କିଛି ସପ୍ତାହରେ ଖୁଚୁରା ବଜାରରେ ଚିନି ଦର ବଢ଼ିଛି ।ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁସାରେ, ଜୁଲାଇ ୨୦ରେ କିଲୋ ପିଛା ଚିନିର ଦର ୪୮ ଟଙ୍କା ୧୮ ପଇସା ଥିବାବେଳେ ଅଗଷ୍ଟ ୨୦ରେ ଏହା ବଢ଼ି ୫୫ ଟଙ୍କା ୭୦ ପଇସାରେ ପହଞ୍ଚିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚିନିର ଯୋଗାଣ ସ୍ୱାଭାବିକ ରଖିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏହାର ଅଂଶ ଭାବେ ସାମୟିକ ଭାବେ ର’ ସୁଗାର ଆମଦାନୀ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ, ଚିନି ଦର ବୃଦ୍ଧିକୁ ନେଇ ବିରୋଧୀ ଦଳ ସରକାରଙ୍କ ନୀତିକୁ ପ୍ରଶ୍ନ କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଚିନି ଦର ବୃଦ୍ଧିର ମୁଖ୍ୟ କାରଣ ଭାବେ ରେଡ୍ ରଟ୍ ରୋଗ ଓ ଏଲ୍ ନିନୋଜନିତ ପ୍ରଭାବକୁ ଦର୍ଶାଯାଇଛି ।










