ଭୁବନେଶ୍ୱର: ପଛକୁ ପଛ ଆସୁଛି ଆଉ ଏକ ଲଘୁଚାପ । ଅଗଷ୍ଟ ଶେଷ ହେଉ ହେଉ ପୁଣି ସକ୍ରିୟ ହେବ ପାଣିପାଗ । ବଙ୍ଗୋପସାଗରରେ ଅଗଷ୍ଟ ଶେଷ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ଲଘୁଚାପର ରୂପ ନେଇପାରେ ।ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷାର ପରିମାଣ । ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆଗକୁ ପୁଣି ବନ୍ୟା ଓ ଜଳବନ୍ଦୀ ଭଳି ସ୍ଥିତି ଉପୁଜିବା ନେଇ ଚିନ୍ତା ବଢ଼ିଛି ।ବିଶେଷ କଥା ହେଉଛି, ଗତ ଦୁଇ ମାସ ମଧ୍ୟରେ ବଙ୍ଗୋପସାଗରରେ ୭ଟି ଲଘୁଚାପ ସୃଷ୍ଟି ହୋଇସାରିଛି । ଏବେ ପୁଣି ଆଉ ଏକ ଲଘୁଚାପର ସମ୍ଭାବନା ପାଣିପାଗକୁ ଆହୁରି ସକ୍ରିୟ କରିବାକୁ ଯାଉଛି । ତେବେ ଆଗାମୀ ଦିନରେ ଲଘୁଚାପର ଗତିପଥ ଓ ଏହାର ପ୍ରଭାବ କିଭଳି ରହିବ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରହିଛି ।










