ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ, ବେହାଲ ହୋଇପଡ଼ିଛି ଜନଜୀବନ । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଡେରାଡୁନରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଓ ଭୂସ୍ଖଳନ ପରେ ରାଜ୍ୟର ପ୍ରାୟ ୯୭ଟି ରାସ୍ତା ବନ୍ଦ ରହିଛି । ବିଭିନ୍ନ ରାସ୍ତା ଉପରେ ମାଟି, ପଥର ଓ ଆବର୍ଜନା ପଡ଼ି ଯାତାୟାତ ଠପ୍ ହୋଇଛି । ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି । ସେପଟେ ପାଣିପାଗ ବିଭାଗ ପକ୍ଷରୁ ଗାଡ଼ୱାଲ ଅଞ୍ଚଳର ପାର୍ବତ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଜାରି ରହିପାରେ ବୋଲି ଆକଳନ କରାଯାଇଛି । ବର୍ଷା ସମୟରେ ନଦୀ, ନାଳ ଓ ଜଳଭଣ୍ଡାରର ଜଳସ୍ତର ହଠାତ୍ ବଢ଼ିବାର ଆଶଙ୍କା ଥିବାରୁ ସ୍ଥାନୀୟ ଲୋକ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ବିଶେଷକରି ଭୂସ୍ଖଳନ ପ୍ରବଣ ରାସ୍ତାରେ ଯାତ୍ରା ନକରିବା ସହ ପାଣିପାଗ ସତର୍କସୂଚନା ଦେଖି ଯାତ୍ରା କରିବାକୁ କୁହାଯାଇଛି । ପ୍ରବଳ ବର୍ଷା, ଭୂସ୍ଖଳନ ଓ ରାସ୍ତା ବନ୍ଦ ଯୋଗୁଁ ଉତ୍ତରାଖଣ୍ଡରେ ବିପଦ ଟଳିନଥିବା ବେଳେ ଆଗାମୀ କିଛି ଦିନ ପାଣିପାଗ ଉପରେ ନଜର ରଖିଛି ପ୍ରଶାସନ ।










