ଭୁବନେଶ୍ବର: ଓଡ଼ିଶାକୁ ରେଡ୍ ଆଲର୍ଟ । ରାଜ୍ୟର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି । ଆଗାମୀ ୨୪ ଘଣ୍ଟା ଭିତରେ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ । ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ଝଡ଼ ପବନର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୬ରୁ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଝଡ଼ ପବନ ବହିବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବା ସହ ଝଟ୍କା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ, ବାଂଲାଦେଶ, ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶର ଉପକୂଳ ଓ ଏହାର ନିକଟବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପାଗ ଅଶାନ୍ତ ରହିବ । ସମୁଦ୍ର ଅବସ୍ଥା ମଧ୍ୟ ରଫ୍ରୁ ଭେରି ରଫ୍ ରହିବାର ଆଶଙ୍କା ରହିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୬ରୁ ୧୮ ଅଗଷ୍ଟ ଯାଏଁ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରକୁ ମାଛଧରାଳିମାନେ ନଯିବାକୁ ପରାମର୍ଶ ଦିଆଯାଇଛି ।










