ପୁରୀ: ପୁରୀରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଟ୍ରେନ୍ । ପୁରୀ ଷ୍ଟେସନ୍ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍ ନିକଟରେ ଘଟିଥିଲା ଏହି ଘଟଣା । ହଠାତ୍ ଟ୍ରେନ୍ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି । ଲାଇନଚ୍ୟୁତ ହୋଇଥିବା ଟ୍ରେନ୍କୁ ସ୍ୱାଭାବିକ ଭାବେ ଟ୍ରାକ୍ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଟ୍ରେନ୍ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ଷ୍ଟେସନ୍ଠାରୁ ଏତେ ନିକଟରେ ଏହି ଘଟଣା ଘଟିଥିବାରୁ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି ।










