ସମ୍ବଲପୁର: ବଡ଼ରମା ଘାଟିରେ ଆଜି ସକାଳେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବସ୍ ଚାଳକ ଆହତ ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ସମ୍ବଲପୁରରୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ୍ ପତ୍ରାପାଲି ଛକ ନିକଟରେ ଯାତ୍ରୀଙ୍କୁ ଓହ୍ଲାଇ ଆଗକୁ ବଢ଼ୁଥିଲା । ଏହି ସମୟରେ ବିପରୀତ ଦିଗରୁ ବଡ଼ରମା ଘାଟି ତଳକୁ ଆସୁଥିବା ଏକ ଟ୍ରକ୍ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା ।ଦୁର୍ଘଟଣା ବେଳେ ବସ୍ରେ ପ୍ରାୟ ୧୫ ଜଣ ଯାତ୍ରୀ ଥିଲେ । ଭାଗ୍ୟବଶତଃ କୌଣସି ବଡ଼ ଧରଣର ଜୀବନହାନି ଘଟିନଥିବାବେଳେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ । ବସ୍ ଚାଳକଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି । ସେହିପରି ବସ୍ରେ ଥିବା ପ୍ରାୟ ୬ ଜଣ ଯାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଡାକ୍ତରଖାନାକୁ ପଠାଯାଇଛି ।ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ କରିଛି।










