ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରଥମ ଝଟକାଟି ରିକ୍ଟର ସ୍କେଲରେ ୫.୧ ତୀବ୍ରତା ବିଶିଷ୍ଟ ଥିବାବେଳେ ଦ୍ୱିତୀୟଟିର ତୀବ୍ରତା ୩.୫ ରହିଥିଲା । ଏହି ଉଭୟ ଭୂକମ୍ପର କେନ୍ଦ୍ରବିନ୍ଦୁ ରାଜ୍ୟର ଅପର୍ ସିୟାଙ୍ଗ ଜିଲ୍ଲାରେ ଥିବା ଜଣାପଡ଼ିଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ଧନଜୀବନ ହାନି କିମ୍ବା କ୍ଷୟକ୍ଷତି ହୋଇଥିବା ନେଇ ଖବର ମିଳିନାହିଁ ।ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୫ଟା ୪୫ ମିନିଟରେ ୫.୧ ତୀବ୍ରତାର ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଭୂପୃଷ୍ଠରୁ ପ୍ରାୟ ୧୧ କିଲୋମିଟର ଗଭୀରରେ ରହିଥିଲା। ଏହାର କିଛି ସମୟ ପରେ ଅର୍ଥାତ ସକାଳ ୭ଟା ୧୭ ମିନିଟରେ ଦ୍ୱିତୀୟ ଥର ପାଇଁ ୩.୫ ତୀବ୍ରତାରେ ମୃଦୁ କମ୍ପନ ସୃଷ୍ଟି ହୋଇଥିଲା, ଯାହାର ଗଭୀରତା ଭୂପୃଷ୍ଠରୁ ପ୍ରାୟ ୫ କିଲୋମିଟର ତଳେ ଥିବା ରେକର୍ଡ କରାଯାଇଛି ।










