ଭୁବନେଶ୍ୱର: ରାଜ୍ୟ ଉପରେ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ବିଜୁଳି ଘଡ଼ଘଡ଼ି ପ୍ରଭାବ ବୃଦ୍ଧି ପାଇବ । ତାହାକୁ ନଜରରେ ରଖି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହାବ୍ୟତୀତ ଅନ୍ୟ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଢେଙ୍କାନାଳର ଆଲଟୁମାରେ ୧୦୮.୪ ମିମି ବର୍ଷା ହୋଇଥିବା ବେଳେ କାମାକ୍ଷାନଗରରେ ୮୫.୩ ମିମି,ମୟୂରଭଞ୍ଜର ମୁରୁଡ଼ାରେ ୮୪ ମିମି, ବେତନଟିରେ ୬୫ ମିମି, ଗଞ୍ଜାମର ଶେରଗଡ଼ରେ ୬୮ମିମି, କେନ୍ଦୁଝରର ବାଂଶପାଳରେ ୫୨.୧ ମିମି ବର୍ଷା ହୋଇଛି ।










