29.5 C
Bhubaneswar
Saturday, August 1, 2026
Homeଓଡିଶାମହାନଦୀ ଜଳ ବିବାଦ; ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି
ରାଜ୍ୟ ସରକାର: ବିଜେଡି

ମହାନଦୀ ଜଳ ବିବାଦ; ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି
ରାଜ୍ୟ ସରକାର: ବିଜେଡି

ଭୁବନେଶ୍ୱର : ବିଜେପି ସରକାରର ଅପାରଗତା ଯୋଗୁଁ ମହାନଦୀ ଜଳ ବିବାଦର ସମାଧାନ ହେବାରେ ବିଳମ୍ବ ହେଉଛି । ଟ୍ରିପଲ୍ ଇଞ୍ଜିନ ସରକାର ଥାଇ ବି ସମନ୍ୱୟ ଅଭାବରୁ ଓଡ଼ିଶାବାସୀ ଉପେକ୍ଷିତ ହେଉଛନ୍ତି । ଜଳ ବିବାଦ ନେଇ ବୈଠକରେ ହୋଇଥିବା ଆଲୋଚନାକୁ ଜାଣିଶୁଣି ସାର୍ବଜନୀନ ନ କରି ଓଡ଼ିଶାବାସୀଙ୍କୁ ମିଛ ଆଶ୍ୱାସନା ଦେଇ ଭୁଅାଁ ବୁଲାଉଥିବାରୁ ରାଜ୍ୟ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ ସାହୁ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସୀପାତ୍ର ମହାନଦୀ ଜଳ ବିବାଦ ସମାଧାନରେ ବିଜେପି ସରକାରର ଅପାରଗପଣିଆକୁ କଡ଼ା ନିନ୍ଦା କରିଛନ୍ତି ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଓଡ଼ିଶାର କୌଣସି କଥାକୁ ଛତିଶଗଡ଼ ସରକାର ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଛତିଶଗଡ ପାଖରେ ନିଜକୁ ଆତ୍ମସମର୍ପଣ କରିଛନ୍ତି ଓଡ଼ିଶା ସରକାର । ମହାନଦୀ ଜଳ ବିବାଦ ନେଇ ଦିଲ୍ଲୀରେ କେନ୍ଦ୍ର ସରକାର, ଓଡିଶା ସରକାର ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ । ତେବେ ମହାନଦୀ ଜଳ ବିବାଦର ସମାଧାନ ଦୀପାବଳି ପୂର୍ବରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତ୍ତି ପ୍ରଦାନ କରିଥିଲେ । କିନ୍ତୁ କେଉଁ ଆଧାରରେ ଦିଲ୍ଲୀରେ ଆଲୋଚନା ହେଲା, ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାଇବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ । ବୈଠକରେ ମୁଖ୍ୟମନ୍ତ୍ରୀ କ’ଣ ଆଲୋଚନା କରିଲେ ତାହାକୁ ସାର୍ବଜନୀନ କରିଲେ ନାହିଁ । ମହାନଦୀର ଜଳ ପରିଚାଳନ ନେଇ ଓଡ଼ିଶାକୁ ଛତିଶଗଡ ସହଯୋଗ କରୁନାହିଁ । ବାରମ୍ବାର ଜଣାଇବା ସତ୍ତ୍ୱେ ସରଡ଼ିହି ବ୍ୟାରେଜ ପାଖରେ ଏକ ନୂତନ ଗେଜ୍ ପ୍ରତିଷ୍ଠା ପାଇଁ ଛତିଶଗଡ଼ ମାନୁନାହିଁ । ଓଡ଼ିଶା ସରକାରଙ୍କ କଥାକୁ ଛତିଶଗଡ ବେଖାତିର କରିଚାଲିଛି । ପୁରୁଣା ଗେଜ ସଠିକ୍ ଭାବରେ କାର୍ଯ୍ୟ କରୁନଥିବାରୁ ଜଳ ପରିଚାଳନାରେ ସମସ୍ୟା ହେଉଛି । ଏନ୍. ଖୋସଲାଙ୍କ ରିପୋର୍ଟ ପରେ ଛତିଶଗଡ ସରକାର ଏହାକୁ ଉଲ୍ଲଙ୍ଘନ କରି ଜଳ ବିବାଦ ସୃଷ୍ଟି କରୁଛନ୍ତି । ଛତିଶଗଡ ସରକାରଙ୍କ ମନମାନି ଯୋଗୁଁ ହୀରାକୁଦ ଜଳଭଣ୍ଡାର ସୁରକ୍ଷା ପାଇଁ ରୁଲକର୍ଭ ନୀତିର ଅନୁପାଳନ ହୋଇପାରୁ ନାହିଁ । ଛତିଶଗଡର ପଛୁଆ ପାଣି ହୀରାକୁଦକୁ ବିପଦ ସୃଷ୍ଟି କରିବା ସହ ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ ହେଉଛି । ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚୁପ୍ ନରହି ଲଢ଼େଇ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ନେଇ ଦିଲ୍ଲୀରେ ରାଜ୍ୟ ସରକାର କ’ଣ ଆଲୋଚନା କରିଲେ ସେ ବାବଦରେ ଓଡ଼ିଶାବାସୀଙ୍କୁ ଜଣାନ୍ତୁ ।

ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀ ଉପରେ ଓଡ଼ିଶାର ୧୬ଟି ଜିଲ୍ଲା ନିର୍ଭରଶୀଳ । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ସରକାରକୁ ଆସିଥିବା ବିଜେପି ଓଡ଼ିଆ ଅସ୍ମିତାର ପ୍ରତୀକ ମହାନଦୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । କେନ୍ଦ୍ର ସମେତ ଛତିଶଗଡ ଏବଂ ଓଡ଼ିଶାରେ ବିଜେପି ସରକାର ରହିଛି । ତେବେ ଟ୍ରିପଲ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁ ନାହିଁ । ରାଜ୍ୟ ସରକାର ନିଜକୁ ଛତିଶଗଡ ପାଖରେ ଆତ୍ମସମର୍ପଣ କରିଛନ୍ତି । ଖରାଦିନେ ମହାନଦୀ ଶୁଖିଲା ପଡ଼ିଥିବା ବେଳେ ରାଜ୍ୟ ସରକାର ଆଲୋଚନା କରିଲେ ନାହିଁ । ବର୍ଷା ସମୟରେ ଆଲୋଚନା କରିଲେ କାହିଁକି? ଖରାଦିନେ ମହାନଦୀର ଜଳ ସଙ୍କଟକୁ ଓଡ଼ିଶାବାସୀଙ୍କ ମନରୁ ଭୁଲାଇ ଦେବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଛତିଶଗଡ ପାଖରେ ୨୪ ଲକ୍ଷ ମିଲିୟନ ଏକର ଫୁଟ ପାଣି ଥିବାବେଳେ ୧୦ ଲକ୍ଷ ମିଲିୟନ ଏକର ଫୁଟ ପାଣି ବ୍ୟବହାର କରିବା ପାଇଁ ତତ୍କାଳୀନ ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଛତିଶଗଡ ମହାନଦୀ ଜଳର ୨୭ ଲକ୍ଷ ମିଲିୟନ ଏକର ଫୁଟ ଜଳ ଆବଶ୍ୟକ କରୁଥିବାରୁ ଜଳ ବିବାଦ ମୁଣ୍ଡ ଟେକିଥିଲା । ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ପରିଚାଳନା ଓ କୃଷି କାର୍ଯ୍ୟ ପାଇଁ ଓଡିଶାକୁ ୧.୭୪ ମିଲିୟନ ଏକର ଫୁଟ ପାଣିର ଆବଶ୍ୟକତା ଥିବାବେଳେ ଛତିଶଗଡ ନିଜର ମନମାନି କରି ତାହା ଦେଉନାହିଁ । ଖରାଦିନେ କଲମା ବ୍ୟାରେଜର ସମସ୍ତ ଗେଟ ବନ୍ଦ ରଖୁଛି ଛତିଶଗଡ଼, ଯାହା ଫଳରେ ଓଡ଼ିଶା ପଟ ଶୁଖିଲା ପଡୁଛି । ଫଳରେ ରବି ଋତୁ ଚାଷରେ ବାଧା ସୃଷ୍ଟି ହେଉଛି । ବର୍ଷ ତମାମ ପାଣି ଅଟକାଇ ରଖୁଥିବା ବେଳେ ବନ୍ୟା ସମୟରେ କଲମା ବ୍ୟାରେଜର ସମସ୍ତ ଗେଟ ଛତିଶଗଡ ଖୋଲି ଦେବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଜଳ ବିବାଦର ସମାଧାନ ନେଇ ରାଜ୍ୟ ସରକାର ଦିଲ୍ଲୀରେ ଆଲୋଚନା କରିଥିବା ବେଳେ ଏହାକୁ ସାର୍ବଜନୀନ କରିବା ପାଇଁ ଡରୁଛନ୍ତି କାହିଁକି ? ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡ଼ି ପକ୍ଷରୁ ଲଢ଼େଇ ଜାରି ରହିବ । ମହାନଦୀ ଜଳ ବିବାଦ ନେଇ ହୋଇଥିବା ବୈଠକରେ କ’ଣ ଆଲୋଚନା ହେଲା ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର ।

ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ମହାନଦୀ ଜଳ ବିବାଦକୁ ନେଇ ବିଜେପି ଦଳ ଓଡ଼ିଶାରେ ବିରୋଧୀ ଦଳରେ ଥିବାବେଳେ ତକ୍ରାଳୀନ ରାଜ୍ୟ ସରକାରଙ୍କୁ ବିରୋଧ କରୁଥିଲେ । ଏବେ ସରକାରକୁ ଆସିବା ପରେ ତାହାକୁ ଭୁଲି ଯାଇଛନ୍ତି । ଟ୍ରିପଲ୍ ଇଞ୍ଜିନ ସରକାର ଥାଇ ବି ମହାନଦୀ ଜଳ ବିବାଦର ସମାଧାନ ହୋଇନପାରିବା ଅତ୍ୟନ୍ତ ଲଜ୍ଜାଜନକ । ସରକାରକୁ ଆସିବା ପରେ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି । ଓଡ଼ିଶାବାସୀଙ୍କୁ ମିଛ କହି ଭୁଅାଁ ବୁଲାଉଛନ୍ତି । ଜଳ ବିବାଦର ସମାଧାନ ନ ହେବା ଫଳରେ ଓଡ଼ିଶାରେ ଯେଉଁ ବନ୍ୟା ପରିସ୍ଥିତି ଉପୁଜିଛି ତାହା ବିଜେପି ସରକାର ପାଇଁ ହୋଇଛି । ବନ୍ୟାରେ ଓଡ଼ିଶା ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯାଇ ଆଲୋଚନା କରୁଛନ୍ତି । ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ ହୋଇଛି । ଉକ୍ତ ଟ୍ରିବୁ୍ୟନାଲ ୬ ଦିନ ଧରି ଓଡ଼ିଶା ବୁଲିକି ଗଲେ । ଏନେଇ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରିଲେ ରାଜ୍ୟ ସରକାର, କିନ୍ତୁ ଫଳ ଶୂନ୍ୟ । ଓଡ଼ିଶାକୁ ନ ଜଣାଇ ଛତିଶଗଡ କଲମା ବ୍ୟାରେଜ ଗେଟ୍ ଖୋଲିବାରୁ ଓଡ଼ିଶାରେ ବନ୍ୟା ବିତ୍ପାତ ହେଲା । ଏଥିପାଇଁ ବିଜେପି ସରକାର ହିଁ ସମ୍ପୂର୍ଣ୍ଣ ଭାବେ ଦାୟୀ । ଗତ ଜୁନ ୨୦୨୪ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସତ୍ୟବାଦୀ ଗସ୍ତରେ ଆସି ୩ ମାସରେ ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଦଳୀୟ ସ୍ୱାର୍ଥକୁ ଛାଡି ଓଡ଼ିଶାର ସ୍ୱାର୍ଥ ପାଇଁ ନିଜକୁ ସମର୍ପଣ କରନ୍ତୁ । ଅନ୍ୟ ମାନଙ୍କୁ ଖୁସି କରାଇବାକୁ ଛତିଶଗଡ ପାଖରେ ଓଡ଼ିଶାକୁ ବିକି ନ ଦିଅନ୍ତୁ । ଛତିଶଗଡ ସରକାରର ମନମୁଖୀ କାର୍ଯ୍ୟ ଯୋଗୁଁ ଓଡ଼ିଶା ଉପେକ୍ଷିତ ହେଉଛି । ରାଜ୍ୟ ସରକାର ଓଡ଼ିଶାର ବୃହତ୍ତର ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ବୈଠକରେ କ’ଣ ଆଲୋଚନା ହୋଇଛି ତାହାକୁ ତୁରନ୍ତ ସାର୍ବଜନୀନ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking