ଭଦ୍ରକ : ଚାନ୍ଦବାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ପାଣି ପଶିଛି । ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଘଟପୁର, ମାଧପୁର, ତେନ୍ତୁଳିଢିହ, ଘେରଙ୍ଗ, ନାଲଗୋଣ୍ଡା, ଜଳେଶ୍ୱରପୁର, ମାତ୍ତୋ, ବଡ଼ବସ୍ତିଆ ସମେତ ୧୫ଟି ପଞ୍ଚାୟତର ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ବନ୍ୟା ଯୋଗୁଁ ଲୋକଙ୍କ ଦୈନନ୍ଦିନ ଜୀବନ ଠପ୍ ହୋଇପଡ଼ିଛି । ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ଲୋକେ ଅସୁବିଧାରେ ପଡ଼ିଛନ୍ତି ।ଗତକାଲି ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀମାନେ ବନ୍ୟା ପ୍ରଭାବିତ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିପନ୍ନ ଲୋକଙ୍କ ପାଇଁ ଏବେ ରନ୍ଧା ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପାଣି ଘେରରେ ଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ଉଦ୍ୟମ କରାଯାଉଛି ।










