28.3 C
Bhubaneswar
Thursday, July 30, 2026
Homeଓଡିଶାବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାକୁ ନେଇ ପ୍ରଶ୍ନ ଉଠାଇଲା...

ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର : ଲଗାଣ ବର୍ଷା ପରେ ରାଜ୍ୟରେ ବନ୍ୟା ସ୍ଥିତି ଦିନକୁ ଦିନ ଉକ୍ରଟ ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଦିଲ୍ଲୀରେ ଥିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ରାଜ୍ୟର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯିବା ପରେ ସେ ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ପ୍ରଭାବିତ ଲୋକ ମାନଙ୍କ ପାଖରେ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚିପାରି ନାହିଁ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହିବା, ବନ୍ୟା ପ୍ରପୀଡ଼ିତଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ ଯେ, ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିବା ପରି ସ୍ପଷ୍ଟ ଜଣାପଡୁଛି । ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, ଯେଉଁଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାଛଡା କୌଣସି ଅଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟରେ ଲଗାଣ ବର୍ଷାକୁ ନେଇ ଏଭଳି ସ୍ଥିତି ଉପୁଜିବା କିଛି ନୂଆ କଥା ନୁହେଁ । କିନ୍ତୁ ବନ୍ୟା ଆଶଙ୍କା ଉପୁଜିବା ପାଇଁ ପୂର୍ବ ସୂଚନା ଥିବା ସତ୍ତ୍ୱେ, ସରକାରଙ୍କ କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ବନ୍ୟା ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ସରକାରଙ୍କ ସମୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଜିରୋ କାଜୁଆଲିଟି ନୀତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ସମଗ୍ର ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଥିଲା । କିନ୍ତୁ ରାଜ୍ୟରେ ସମସ୍ତ ବ୍ୟବସ୍ଥା ମହଜୁଦ ଥିବା ସତ୍ତ୍ୱେ, ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ଅଭାବ ଯୋଗୁଁ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।ଶ୍ରୀ ଘଡ଼ାଇ ଆହୁରି କହିଥିଲେ ଯେ, ବନ୍ୟାକୁ ନେଇ ରାଜ୍ୟ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ମୁକାବିଲା କରିବା ପରିବର୍ତ୍ତେ ନିଜେ ଦିଲ୍ଲୀ ଗସ୍ତରେ ଅଛନ୍ତି । ବନ୍ୟା ମୁକାବିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଦିଲ୍ଲୀରେ ବସି, ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ବିବୃତ୍ତି ଦେଇଛନ୍ତି । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ବନ୍ୟା ପରିସ୍ଥିତି ମୁକାବିଲା ନା ଦିଲ୍ଲୀ ଗସ୍ତ, କେଉଁଟା ପ୍ରାଥମିକତା? ରାଜ୍ୟ ବିଜେପି ସରକାରଙ୍କ କାମ କେବଳ ବିବୃତିରେ ସୀମିତ । ବଡ଼ ବଡ଼ ବିବୃତ୍ତି ଆସୁଛି, କିନ୍ତୁ କାମ ଘର ଶୂନ । ବନ୍ୟାରେ ପ୍ରଭାବିତ ହୋଇ ହନ୍ତସନ୍ତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ, ଉଚିତ ସମୟରେ ଉଚିତ ଜବାବ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking