ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷା ଏବେ ଚିନ୍ତା ବଢ଼ାଇଛି । ଗୋଟିଏ ପଟେ ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ, ଅନ୍ୟପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାକୁ ନେଇ ସତର୍କତା ଜାରି ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଅଞ୍ଚଳରେ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି । ଆସାମରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଆହୁରି ବିଗିଡ଼ିଛି । ନଦୀଗୁଡ଼ିକର ଜଳସ୍ତର ବଢ଼ିବା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ହଜାର ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।
ସେପଟେ ଉତ୍ତରାଖଣ୍ଡରେ ପାହାଡ଼ିଆ ଅଞ୍ଚଳରେ ବର୍ଷାକୁ ନେଇ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଓ ରାସ୍ତା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ବିଶେଷକରି ଚାରଧାମ ଯାତ୍ରା ମାର୍ଗରେ ଯାତ୍ରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ପାଣିପାଗ ଉପରେ ନଜର ରଖି ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି ।
ଖରାପ ପାଗ ସମୟରେ ପାହାଡ଼ିଆ ରାସ୍ତାରେ ଯାତାୟାତ ଅଧିକ ବିପଦପୂର୍ଣ୍ଣ ହୋଇପାରେ । ମୌସୁମୀ ବର୍ଷାର ପ୍ରଭାବରେ ଏବେ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ କରି ହିମାଳୟ ଅଞ୍ଚଳ ପର୍ଯ୍ୟନ୍ତ ପ୍ରଶାସନ ସତର୍କ ରହିଛି । ଉଦ୍ଧାର ଟିମ୍, ସ୍ଥାନୀୟ ପ୍ରଶାସନ ଓ ଆପଦା ପରିଚାଳନା ବିଭାଗ ପରିସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା ଆହୁରି ଜାରି ରହିଲେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ । ତେଣୁ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।










