ବଙ୍ଗୋପ ସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର। ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ସେପଟେ ରାଜ୍ୟବ୍ୟାପୀ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। କେଉଁଠି ଲଗାଣ କେଉଁଠି ତୁହାକୁ ତୁହା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୫ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଆଜି କେନ୍ଦୁଝର ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି।ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂରେ ରହିଛି। ବାକି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବର୍ଷା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।










