ପାକିସ୍ତାନ : ପିଓକେରେ ପାକିସ୍ତାନୀ ଶାସନ ବିରୋଧରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ଏବଂ ପାକିସ୍ତାନୀ ସଶସ୍ତ୍ର ବାହିନୀଙ୍କ ଦ୍ବାରା କରାଯାଉଥିବା ଦମନ ମଧ୍ୟରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ଆଉ ଏକ ଖେଳ ଖେଳିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ସରିଫ ପିଓକେର ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିଛନ୍ତି । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ମୁଜଫରାବାଦରେ ନିଜ ଝିଅ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ୍ ନୱାଜଙ୍କ ସହ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ଯେଉଁଠି ସେ କହିଥିଲେ ଯେ, ଯଦି ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଆଞ୍ଚଳିକ ନିର୍ବାଚନରେ ବିଜୟୀ ହୁଏ ତେବେ ସେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ପିଓକେର ପ୍ରଧାନମନ୍ତ୍ରୀ କରିବାକୁ କହିବେ । ସେ ପିଓକେର ପ୍ରଧାନମନ୍ତ୍ରୀ ନହୋଇ ମଧ୍ୟ ପ୍ରତି ୩ ମାସରେ ମୁଜାଫରାଦାବାଦ ଏବଂ ଅନ୍ୟ ସହର ଗସ୍ତ କରି ଦଳର ନିର୍ବାଚନ ଇସ୍ତାହାରର କାର୍ଯ୍ୟାନ୍ୱୟନ ସମୀକ୍ଷା କରିବେ ଏବଂ ବିକାଶ କାର୍ଯ୍ୟ ତଦାରଖ କରିବେ ।
ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ ନୱାଜ ମଧ୍ୟ ଆଶ୍ବସନା ଦେଇଛନ୍ତି ଯେ, ଯଦି ପିଏମଏଲ-ଏନ୍ ପିଓକେରେ ପରବର୍ତ୍ତୀ ସରକାର ଗଠନ କରେ ତେବେ ସେ ଏହି ଅଞ୍ଚଳର ପ୍ରମୁଖ ସମସ୍ୟାଗୁଡିକର ସମାଧାନ କରିବେ । ଆଞ୍ଚଳିକ ସଂଯୋଗୀକରଣ କରିବା ପାଇଁ ଝେଳମ୍ ନଦୀ କୂଳରେ ଏକ ରାସ୍ତା ତିଆରି କରିବାର ପ୍ରସ୍ତାବ ମଧ୍ୟ ସେ ଦେଇଥିଲେ । ତାଙ୍କ ଦଳ କ୍ଷମତାକୁ ଆସିଲେ ସେ ପିଓକେର ବଜେଟ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ପିଓକେର ବିଧାସଭା ପାଇଁ ୩ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅଧିକାରୀମାନେ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ଯାହା ଅଗଷ୍ଯ ୧୦ ତାରିଖରେ ଶେଷ ହେବ । ଏହି ନିର୍ବାଚନ କରିବାକୁ ପ୍ରଥମେ ଜୁଲାଇ ୨୭ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପାକିସ୍ତାନ ସରକାର ଏବଂ ଦେଶର ସଶସ୍ତ୍ର ବାହିନୀ ବିରୋଧରେ ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିବାରୁ ସମଗ୍ର ଅଞ୍ଚଳରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଦ୍ବାରା ପୋଲିସ ଏବଂ ସଶସ୍ତ୍ର ବାହିନୀଙ୍କ ଗୁଳିରେ ଅନେକ ପ୍ରଦର୍ଶନକାରୀ ଏବଂ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି ।










