ପୁରୀ: ବଡ ଦାଣ୍ଡରେ ପୁଣି ଥରେ ସୃଷ୍ଟି ହେବ ଭକ୍ତିର ମହାସମୁଦ୍ର । ନଅ ଦିନର ଆଡପ ମଣ୍ଡପ ବାସ ପରେ ଆଜି ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରାକୁ ନେଇ ଶ୍ରୀକ୍ଷେତ୍ରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି । ସକାଳୁ ମଙ୍ଗଳ ଆଳତି, ମଇଲମ , ତଡପଲାଗି , ଅବକାଶ, ଗୋପାଳ ବଲ୍ଲଭ , ସକାଳ ଧୂପ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ । ପ୍ରଥମେ ସୁଦର୍ଶନ , ପରେ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ରଥାରୂଢ ହେବେ । ପହଣ୍ଡି ପରେ ହେବ ଗଜପତି ମହାରାଜଙ୍କ ଐତିହ୍ୟବାହୀ ଛେରାପହଁରା ନୀତି । ସୁନା ବେଶର ଝାଡୁରେ ତିନି ରଥକୁ ପରିଷ୍କାର କରି ଗଜପତି ମହାପ୍ରଭୁଙ୍କ ସେବକ ଭାବେ ନିଜକୁ ସମର୍ପଣ କରିବେ। ଏହି ନୀତି ସମାନତା ଓ ସେବାଭାବର ଅନନ୍ୟ ପ୍ରତୀକ ।
ଛେରାପହଁରା ପରେ ଟଣା ହେବ ତିନି ରଥ। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ। “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ। ରଥର ରସି ଟାଣିବା ପାଇଁ ଦେଶ ବିଦେଶରୁ ଆସିଥିବା ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଅପାର ଉତ୍ସାହ ।ବାହୁଡ଼ା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା, ଟ୍ରାଫିକ୍, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ ପାଇଁ ହଜାର ହଜାର ପୋଲିସ କର୍ମଚାରୀ ଓ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି । ଡ୍ରୋନ୍, AI କ୍ୟାମେରା ଏବଂ ଅତ୍ୟାଧୁନିକ ନଜରଦାରୀ ବ୍ୟବସ୍ଥା ମାଧ୍ୟମରେ ସମଗ୍ର ବଡ଼ଦାଣ୍ଡ ଉପରେ କଡ଼ା ନଜର ରଖାଯାଉଛି ।










