ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ ସେଣ୍ଟ୍ରାଲ ୱାଟର କମିଶନ ଏବଂ ଭାରତ ସରକାରଙ୍କ ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଏକ ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ଛତିଶଗଡ ଓ ଓଡ଼ିଶାର ବୈଷୟିକ ଟିମ୍ ସଦସ୍ୟ ରହିବେ। ଉଭୟ ରାଜ୍ୟକୁ ଏ ନେଇ ଡ୍ରାଫ୍ଟ ତିଆରି କରି ଟ୍ରିବ୍ୟୁନାଲରେ ଦାଖଲ କରିବାକୁ କୁହାଯାଇଥିବା କହିଛନ୍ତି ଏଜି ପୀତାମ୍ବର ଆଚାର୍ଯ୍ୟ ।
୨୦୨୫ ଜୁଲାଇ ୨୫ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାର ଦେଇଥିବା ଚିଠିର ଉତ୍ତର ବୁଧବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଆଜି ସେ ଚିଠିର ନକଲ ଟ୍ରିବ୍ୟୁନାଲ ଆଗରେ ଉପସ୍ଥାପନ କରାଯାଇଛି । ମହାନଦୀ ଜଳ ବିବାଦରରେ ଉଭୟ ରାଜ୍ୟ ମଧ୍ୟରେ ହୋଇଥିବା ବୈଠକ ଏବଂ ପ୍ରୟାସକୁ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମ୍ମତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପକ୍ଷ ରଖିଲେ ଏଜି ।ଉଭୟ ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଚିନ୍ତାଧାରା ମହାନଦୀ ବିବାଦର ଆଶୁ ସମାଧାନ ପାଇଁ ବାଟ ଖୋଲିବ । ଦୀର୍ଘଦିନର ମହାନଦୀ ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଭୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ । ଅଗଷ୍ଟ ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।










