ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛି ପ୍ରଥମ ଆଡ଼ପ ଅବଢ଼ା। ଶହଶହ ଶ୍ରଦ୍ଧାଳୁ ଆଡ଼ପ ଅବଢ଼ା ପାଇ ଆନନ୍ଦିତ ହୋଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ ରତ୍ନସିଂହାସନ ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଛନ୍ତି।ସ୍କନ୍ଦ ପୁରାଣ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଭଉଣୀଭାଇଙ୍କୁ ସାଥିରେ ଧରି ଘୋଷଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ରଥାରୂଢ଼ ଶ୍ରୀବିଗ୍ରହମାନେ ଶରଧାବାଲିଠାରେ ଶୁକ୍ରବାର ଏବଂ ଶନିବାର ଦିନତମାମ ଭକ୍ତଙ୍କୁ ଦର୍ଶନ ଦେବା ପରେ ଅପରାହ୍ନରେ ଜନ୍ମବେଦୀକୁ ବାହାରିଥିଲେ। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାରେ ପହଣ୍ଡି ଆରମ୍ଭ ହୋଇଥିଲା। ଆଡ଼ପ ପହଣ୍ଡି ନିମନ୍ତେ ଶନିବାର ରଥ ଉପରେ ଶ୍ରୀବିଗ୍ରହଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସେହିପରି ପ୍ରଥମେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୋଟିପହଣ୍ଡିରେ ଆଡ଼ପମଣ୍ଡପକୁ ବିଜେ କରାଯାଇଥିଲା। ପରମ୍ପରା ଅନୁଯାୟୀ, ଠାକୁରମାନେ ପହଣ୍ଡି ପାଇଁ ରତ୍ନ ସିଂହାସନ ଛାଡ଼ି ହଂସପଟା ନିକଟକୁ ଆସିବା ପରେ ଟାହିଆ ଲାଗି କରାଯାଇଥିଲା। ପତିମହାପାତ୍ର ସେବକ ଘଷା ଓ ବିଡ଼ିଆ ମଣୋହୀ ସହ ଆଳତି କରିଥିଲେ। ପରେ ଗୋଟିପହଣ୍ଡି ହୋଇ ଠାକୁରମାନେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଘଣ୍ଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଧ୍ୱନିରେ ଶରଧାବାଲି ପ୍ରକମ୍ପିତ ହୋଇଉଠିଥିଲା। ରବିବାରଠାରୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିଛି।










