ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସବୁଠୁ ଆକର୍ଷଣୀୟ ଏବଂ ଭାବବିହ୍ୱଳ କରୁଥିବା ପରମ୍ପରା ପହଣ୍ଡି ବିଜେ । ଶଙ୍ଖଧ୍ୱନି, ଘଣ୍ଟ, କାହାଳୀ, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାର ସବୁଠୁ ଭାବବିହ୍ୱଳ କରୁଥିବା ମୁହୂର୍ତ୍ତ ଏବେ ସମସ୍ତଙ୍କ ଆଖି ଆଗରେ । ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ସମଗ୍ର ବଡ଼ଦାଣ୍ଡ ଭକ୍ତିରେ ମୁଖରିତ ହୋଇଉଠିଛି । ଆଜିର ଏହି ଦିବ୍ୟ କ୍ଷଣ କେବଳ ରଥଯାତ୍ରାର ଏକ ପରମ୍ପରା ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଅପୂର୍ବ ମିଳନର ମହାପର୍ବ । ମହାପ୍ରଭୁ ନିଜେ ଶ୍ରୀମନ୍ଦିରରୁ ବାହାରି ଭକ୍ତଙ୍କ ପାଖକୁ ଆସୁଛନ୍ତି । ଆଜି ଭକ୍ତଙ୍କ ମନରେ ଗୋଟିଏ ମାତ୍ର ଆକାଂକ୍ଷା—ପ୍ରଭୁଙ୍କୁ ଆଖିଭରି ଦେଖିବା, ତାଙ୍କ ସହ ମନର କଥା କହିବା ଏବଂ ତାଙ୍କ ଦିବ୍ୟ ଦର୍ଶନରେ ଜୀବନକୁ ଧନ୍ୟ କରିବା । ପାରମ୍ପରିକ ଗୋଟି ପହଣ୍ଡି ଶୈଳୀରେ ସେବାୟତମାନଙ୍କ କାନ୍ଧରେ ଝୁଲି ଝୁଲି ପ୍ରଭୁ ବଳଭଦ୍ର ଧୀରେ ଧୀରେ ରଥ ଆଡ଼କୁ ଅଗ୍ରସର ହେଉଛନ୍ତି ।ପ୍ରତ୍ୟେକ ପଦକ୍ଷେପ ସହିତ “ଜୟ ବଳଭଦ୍ର”, “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପି ଉଠୁଛି ସମଗ୍ର ଶ୍ରୀକ୍ଷେତ୍ର ।










