ପୁରୀ: ପୁରୀ ବଡଦାଣ୍ଡରେ ବଡ ଅଘଟଣ । ପବିତ୍ର ଘୋଷଯାତ୍ରା ଅବସରରେ ଲୋକାରଣ୍ୟ ବଡଦାଣ୍ଡ । ପୁରୀରେ ଅଣନିଃଶ୍ୱାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ସୂଚନା ଅନୁସାରେ ପୁରୀ ମରିଚକୋଟ ଛକ ନିକଟରେ ଅଣନିଶ୍ୱାସୀ ହୋଇ ୨ ଜଣ ଭକ୍ତ ତଳେ ପଡ଼ିଗଲେ । ତୁରନ୍ତ ଚିକିତ୍ସା ପାଇଁ ଉଭୟଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ଜଣକ ହେଲେ କଟକର ଅନିଲ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା । ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଭକ୍ତ , ଭଗବାନଙ୍କ ଭାବମୟ ପରିବେଶ ଭିତରେ ଏହି ଖବର ଭକ୍ତଙ୍କୁ ବ୍ୟଥିତ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।ସୂଚନାଥାଉକି, ବିଗତ ରଥଯାତ୍ରା ଦିନ ବଡଦାଣ୍ଡରେ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା । ଫଳରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ତାହାକୁ ଦୃଷ୍ଟିରେ ରଖି ସରକାର ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିଥିଲେ ।










