ଭୁବନେଶ୍ୱର : ବଙ୍ଗୋପସାଗରେ ସକ୍ରିୟ ହୋଇଛି ଲଘୁଚାପ। ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା। ଉତ୍ତର ଓଡିଶା-ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରୁ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।୨ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ କରାଯାଇଛି। ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।
ସେହିପରି ୧୩ ଜିଲ୍ଲାକୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଞ୍ଜାମ ଓ କନ୍ଧମାଳ। ଏହି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ୧୨ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ଜୁଲାଇ ୧୬ରୁ ଜୁଲାଇ ୧୭ ପର୍ଯ୍ୟନ୍ତ କେତକ ଜିଲ୍ଲା ପାଇଁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ପୁରୀରେ ୧୪ ସେମି, କେନ୍ଦ୍ରାପଡାରେ ୧୩ ସେମି ରେକର୍ଡ ହୋଇଛି ।










